
ରାଉାକେଲା, (କେପିଏନ୍ଏସ୍) : ପବିତ୍ର ଛଠ୍ ପୂଜାକୁ ଆଉ ଅଳ୍ପ ଦିନ ବାକି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଏବେଠାରୁ ତତ୍ପର ହୋଇଛନ୍ତି ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ । କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଲୁଡ୍କୀ ନଦୀ ଛଠ୍ ଘାଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ । ପରିଦର୍ଶନ ସମୟରେ ଘାଟରେ ଅନାବନା ଘାସ, ଅପରିଷ୍କାର ପରିବେଶ ଏବଂ ଯାତାୟାତ ରାସ୍ତାର ଦୁରବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ସେ । ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ଏହା ସବୁଠାରୁ ବଡ଼ ଛଠ୍ ଘାଟ ହୋଇଥିବାରୁ ଏଠାରେ ହଜାର ହଜାର ମହିଳା ବ୍ରତଧାରୀଙ୍କ ସୁବିଧା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ବିଧାୟକ । ଏନେଇ ପୂର୍ବରୁ ପତ୍ର ନଂ ଈଜଗଚ/୨୦୨୬/୧୬୬, ତାରିଖ ୩୦ ଅକ୍ଟୋବର ୨୦୨୬ରେ କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକର ବିଡିଓଙ୍କ ସମେତ ବୀରମିତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସମସ୍ତ ଛଠ୍ ଘାଟର ତୁରନ୍ତ ସଫେଇ, ବାଲି ପକାଇ ସମତଳୀକରଣ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍, ଆଲୋକୀକରଣ, ପାନୀୟ ଜଳ ଓ ଚେଞ୍ଜିଂ ରୁମ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୋଲିସ, ଲାଇଫ୍ ଗାର୍ଡ ଓ ମେଡିକାଲ ଟିମ୍ ନିୟୋଜନ ପାଇଁ ମଧ୍ୟ କୁହାଯାଇଛି । ବିଧାୟକଙ୍କ କହିବା ଅନୁଯାୟୀ, ଛଠ୍ ପୂଜାର ଦୁଇ ଦିନ ପୂର୍ବରୁ ଘାଟଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ପଡ଼ିବ । ଯେପରି କୌଣସି ବ୍ରତଧାରୀ ମହିଳା ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ନିଜେ କାର୍ଯ୍ୟର ତଦାରଖ କରିବେ ବୋଲି କହିଛନ୍ତି । ଏହି ପରିଦର୍ଶନ ସମୟରେ ପୌରପାଳିକାର ନିର୍ବାହୀ ଅଧିକାରୀ ୟାଶିର ବିଲାଲ, ବିଧାୟକଙ୍କ ପ୍ରତିନିଧି ଶଶି ସାଗର, ଜଗଦୀଶ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ, ଛଠ୍ ପୂଜା କମିଟିର ସଦସ୍ୟ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଏହି ଚିଠିର ନକଲ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।