
- ଦାଦନ ସମସ୍ୟା ଦୂର କରିବାକୁ ଶିଳ୍ପ ପ୍ରତିଷ୍ଠାକର – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାତ୍ୟା ଅର୍ଣ୍ଣବ ଯୋଗୁଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ଅନେକ ଲୋକ ବିଭିନ୍ନ ପ୍ରକାର କ୍ଷୟକ୍ଷତିର ସାମନା କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବାତ୍ୟା ଯୋଗୁଁ ହୋଇଥିବା ବର୍ଷା ଚାଷୀଙ୍କର ଚାଷ ଜମିରେ ଥିବା ଧାନକୁ ନଷ୍ଟ କରିଦେଇଛି । ଏଣୁ କ୍ଷତି ସହିଥିବା ଚାଷୀଙ୍କୁ ଯେତେ ଶୀଘ୍ର ହେବ କ୍ଷତି ଆକଳନ କରି ତାର କ୍ଷତିପୂରଣ ସରକାର ପ୍ରଦାନ କରନ୍ତୁ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି । ଏହି ମର୍ମରେ ସେ କହିଛନ୍ତି ଯେ, ବିଶେଷ କରି ଦେଓଗାଁ ବ୍ଲକର ଗୋଟିଏ ଭାଗ ଏବଂ ପୁଇଁତଲା ବ୍ଲକ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ, ଧାନ ବିଲରେ ପାଣି ମାଡି ଯାଇଛି, ଫଳରେ ଅନେକ ଚାଷୀଙ୍କ ଚାଷ ନଷ୍ଟ ହୋଇଯାଇଛି । ଏହି କ୍ଷୟକ୍ଷତି ଭରଣା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କଲେ କହୁଛନ୍ତି କେବଳ ବିମା କରିଥିବା ଚାଷୀ କ୍ଷତିପୂରଣ ପାଇବେ କିିନ୍ତୁ ଅର୍ଣ୍ଣବ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ ଚାଷ ବୀମାକୁ ବାହାନା କରିବା ନିରର୍ଥକ ଅଟେ । କାରଣ ବାତ୍ୟା ଜନିତ ଚାଷ କ୍ଷୟକ୍ଷତିର ମୁଖ୍ୟମନ୍ତ୍ରୀ ନିଜ ରିଲିଫ ଫଣ୍ଡରୁ ମଧ୍ୟ କ୍ଷତିପୂରଣ ଦେଇପାରିବେ । ଆହୁରି ମଧ୍ୟ ଉଦାହରଣ ଅଛି ଏପରି ସ୍ଥଳେ ସ୍ୱତନ୍ତ୍ର ରିଲିଫ କମିଶନର ଚାଷ କ୍ଷୟକ୍ଷତିର କ୍ଷତିପୂରଣ ଦେଇପାରିବେ । ତେଣୁ ସରକାରଙ୍କୁ ମୋର ଅନୁରୋଧ ଚାଷୀଙ୍କ ପ୍ରତି ଉଦାର ହୋଇ ଯେ କୌଣସି ଯୋଜନା ମାଧ୍ୟମରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ । ବଲାଙ୍ଗିର ଜିଲ୍ଲାରେ କପା ମଧ୍ୟ ଏକ ମୁଖ୍ୟ ଫସଲ ଅଟେ । ଏହି ବର୍ଷା କପା ଫସଲକୁ ମଧ୍ୟ ଅନେକ ପରିମାଣରେ ନଷ୍ଟ କରିଦେଇଛି । ତେଣୁ ଯେତେ ଶୀଘ୍ର ହେବ କପା ଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ସରକାର ପ୍ରଦାନ କରନ୍ତୁ । ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ ଦାଦନ ସମସ୍ୟା ଦୂର କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତିି । ଚିିନି କାରଖାନା ହେଉ କି ବୟନ ଶିଳ୍ପ କାରଖାନା ତାହା କେବଳ ସରକାର ଘୋଷଣାରେ ସିମିତ ରଖିଛନ୍ତି । କଣ୍ଟାବାଞ୍ଜିରେ ଥିବା ରେଲୱେ ଜମିକୁ ମଧ୍ୟ ସରକାର ରେଳ ଶିଳ୍ପ ଯଥା ୱାଗନ କାରଖାନା କିମ୍ବା ତତ୍ ଜନିତ ଅନ୍ୟ ଶିଳ୍ପରେ ବ୍ୟବହାର କରୁନାହାନ୍ତି । ମୋର ଦାବି ରହିବ ଏହି ଜିଲ୍ଲାରେ ଯଦି ଦାଦନ ସମସ୍ୟା ଦୂର କରିବାର ଅଛି ତେବେ ଅତିଶୀଘ୍ର ଜିଲ୍ଲାରେ ଶିଳ୍ପ କରଖାନା ପ୍ରତିଷ୍ଠା କର ନଚେତ ଆଗାମୀ ଦିନରେ ନିଶ୍ଚିତ ଭାବରେ ଏହି ଅଞ୍ଚଳର ଛାତ୍ର, ଯୁବକ, କୃଷକ ଶ୍ରମିକଙ୍କୁ ନେଇ ଆମେ ରାଜରାସ୍ତାରେ ଆନ୍ଦୋଳନ କରିବୁ ବୋଲି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଚେତାବନୀ ଦେଇଛନ୍ତି ।