
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପ ଯେ ଏତେ ଭୟଙ୍କର ହୋଇପାରେ, ତାହାର ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେଶି ଗ୍ରାମରୁ । ପ୍ରବଳ ବର୍ଷା ପରେ ପାହାଡ଼ରୁ ମାଡ଼ି ଆସିଥିବା ମାଟି, ପଥର ଓ ପଙ୍କରେ ଗୋଟିଏ ହସଖୁସିର ପରିବାର ମାଟିରେ ମିଶିଯାଇଛି । ଏହି ଭୂସ୍ଖଳନରେ ଏକାସାଙ୍ଗରେ ଜୀବନ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ମାତ୍ର ୭ ମାସର ଶିଶୁପୁତ୍ର । ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଥିବା ବେଳେ ଡାଙ୍ଗେଶି ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି । ସୂଚନା ଅନୁସାରେ, ରାଇକିଆ ଥାନା ଅଧୀନ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମର ଅଚ୍ୟୁତ ପ୍ରଧାନ (୩୦), ପତ୍ନୀ ମାନସୀ ପ୍ରଧାନ (୨୭) ଓ ସେମାନଙ୍କର ୭ ମାସର ଶିଶୁପୁତ୍ର ଘରେ ରହୁଥିଲେ । ଗୁରୁବାର ସକାଳେ ବାତ୍ୟାଜନିତ ପ୍ରବଳ ବର୍ଷା ଯୋଗୁଁ ଅଚ୍ୟୁତଙ୍କ ଘର ନିକଟସ୍ଥ ପାହାଡ଼ରୁ ହଠାତ୍ ବିପୁଳ ପରିମାଣର ମାଟି, ପଙ୍କ, ବାଲି ଓ ପାଣି ଧସି ଆସିଥିଲା । ଏହି ଭୟଙ୍କର ଜଳସ୍ରୋତ ଘରକୁ ସମ୍ପୂର୍ଣ୍ଣ ଭାବେ ମାଟି ତଳେ ପୋତି ଦେଇଥିଲା । ଘଟଣା ପରଠାରୁ ତିନିଜଣଙ୍କର କୌଣସି ପତ୍ତା ମିଳିନଥିଲା । ପ୍ରଥମେ ସେମାନେ ନିଖୋଜ ଥିବା ନେଇ ଗ୍ରାମବାସୀ ଆଶଙ୍କା କରିଥିଲେ । ପରେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ଖୋଜାଖୋଜି ଆରମ୍ଭ ହୋଇଥିଲା । ତେବେ ପ୍ରବଳ ବର୍ଷା, ମାଟି ଅତଡ଼ା ଓ ଅବିରତ ଜଳସ୍ରୋତ ଉଦ୍ଧାର କାର୍ଯ୍ୟକୁ ବାଧାପ୍ରାପ୍ତ କରିଥିଲା । ଦୀର୍ଘ ସମୟର ଉଦ୍ୟମ ପରେ ଗୁରୁବାର ସନ୍ଧ୍ୟାରେ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଓ ପଙ୍କ ତଳୁ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗୋଟିଏ ପଟେ ବାତ୍ୟାର ପ୍ରକୋପ, ଅନ୍ୟପଟେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ବିପଦ ଡାଙ୍ଗେଶି ଗ୍ରାମର ଏହି ପରିବାରକୁ ଛାରଖାର କରିଦେଇଛି । ଯେଉଁ ଘରେ ଗତକାଲି ପର୍ଯ୍ୟନ୍ତ ପରିବାରର ହସଖୁସି ଶୁଣିବାକୁ ମିଳୁଥିଲା, ଆଜି ସେଠାରେ କେବଳ ମାଟିର ଗଦା ଓ ନିରବତା । ବିଶେଷକରି କଅଁଳ ଶିଶୁର ମୃତ୍ୟୁ ଘଟଣାକୁ ଆହୁରି ମର୍ମସ୍ପର୍ଶୀ କରିଦେଇଛି । ଘଟଣା ସମ୍ପର୍କରେ ଖବର ପାଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମାଣିକେଶ୍ୱର ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତ ତିନିଜଣଙ୍କ ପାଇଁ ଜଣକ ପିଛା ୪ ଲକ୍ଷ ଟଙ୍କା ହିସାବରେ ମୋଟ ୧୨ ଲକ୍ଷ ଟଙ୍କାର ସରକାରୀ କ୍ଷତିପୂରଣ ଘୋଷଣା କରିଛନ୍ତି । ସେହିପରି ବାତ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ ପରିବାରଗୁଡ଼ିକୁ ମଧ୍ୟ ଉଚିତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ପ୍ରକାଶ କରିଛନ୍ତି । ପ୍ରକୃତିର ଏହି ତାଣ୍ଡବ କେବଳ ତିନୋଟି ଜୀବନ ନେଇନାହିଁ, ବରଂ ଗୋଟିଏ ପରିବାରର ସମଗ୍ର ଭବିଷ୍ୟତକୁ ଶେଷ କରିଦେଇଛି । ଏହି ଅଘଟଣ ପରେ ପାହାଡ଼ ପାଦଦେଶରେ ବସବାସ କରୁଥିବା ଅନ୍ୟ ପରିବାରଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି ।