
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି ଜାତୀୟ ବିଜ୍ଞାନ ସେମିନାରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ନେସନାଲ ସାଇନ୍ସ ସେଣ୍ଟରରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ସେମିନାରରେ ସେ ଉତ୍ତମ ପ୍ରଦର୍ଶନ ପୂର୍ବକ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଭାରତୀୟ ଶକ୍ତି ଭଣ୍ଡାର-୨୦୪୭, ସମ୍ଭାବନା ଏବଂ ଆହ୍ୱାନ ଉପରେ ସୌମ୍ୟାଶ୍ରୀ ବଲାଙ୍ଗିର ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଜାତୀୟ ବିଜ୍ଞାନ ସେମିନାର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହି କ୍ରମରେ ଜାତୀୟ ବିଜ୍ଞାନ ସେମିନାରରେ ସେ ଅଂଶଗ୍ରହଣ କରି ସବୁ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାଯାଇଛି । ସୂଚନା ଥାଉ କି, ଦୀର୍ଘ ୧୩ ବର୍ଷ ପରେ ଓଡ଼ିଶାକୁ ଏହି ସଫଳତା ମିଳିଥିବା ବେଳେ ପୂର୍ବରୁ ୭ ଥର ପ୍ରଥମ ସ୍ଥାନ ମିଳିଥିବା ଗୌରବ ରହିଛି । ଲୋଇସିଂହା ବ୍ଲକ ବୁର୍ଡ଼ା ନିବାସୀ ହରିବୋଲ ଥନାପତିଙ୍କ ସୁଯୋଗ୍ୟ ସନ୍ତାନ ସୌମ୍ୟାଶ୍ରୀଙ୍କ ଏହି ସଫଳତା ଖବର ପ୍ରଚାରିତ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଡ. ଜ୍ୟୋତିର୍ମୟୀ ପଧାନଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।