
ବଲାଙ୍ଗିର, (କେପିଏସ୍ଏସ୍) : ବଲାଙ୍ଗିରସ୍ଥିତ କମ୍ପୋଜିଟ୍ ରିଜିଓନାଲ୍ ସେଣ୍ଟର (ସିଆରସି) ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡଃ ବୀରେନ୍ଦ୍ର କୁମାର । ଏହି ଅବସରରେ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ସହାୟକ ଉପକରଣ ସହ ବ୍ୟାଟେରୀ ଚାଳିତ ତିନିଚକିଆ ଯାନ ବଣ୍ଟନ କରିଥିଲେ ମନ୍ତ୍ରୀ । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲଓ୍ୱାର, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସିଆର୍ସି ନିର୍ଦ୍ଦେଶକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ । ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ ଯେ, ଦିବ୍ୟାଙ୍ଗଜନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦିବ୍ୟାଙ୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଗ୍ରହଣ କରାଯାଉଛି । ସହାୟକ ଉପକରଣ ବଣ୍ଟନ ଦ୍ୱାରା ଦିବ୍ୟାଙ୍ଗଜନଙ୍କ ଦୈନନ୍ଦିନ ଜୀବନ ସହଜ ହେବା ସହ ସେମାନଙ୍କ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଛି ।