
ସୁନ୍ଦରଗଡ଼ : ଚାଷୀଙ୍କ ପାଇଁ ଦୁଃଖ ଉପରେ ଦୁଃଖ ଲଦି ଦେଇଛି ବାତ୍ୟା ‘ଅର୍ଣ୍ଣବ’। ପ୍ରଥମେ ବର୍ଷା ଅଭାବରୁ ଧାନ ଫସଲ ଉଜୁଡ଼ିଥିବାବେଳେ ଏବେ ଅତ୍ୟଧିକ ବର୍ଷା ଓ ପବନ ଯୋଗୁଁ ଅମଳ ହେବାକୁ ଥିବା ଫସଲ ନଷ୍ଟ ହୋଇଛି। ଫଳରେ ବର୍ଷକର ପରିଶ୍ରମ ଓ ରୋଜଗାର ହାତରୁ ଖସିଯିବା ଆଶଙ୍କାରେ ଚାଷୀ ହତାଶ ହୋଇପଡ଼ିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ରତନପୁର ଗାଁର ଚାଷୀ ନରେଶ ମେହେର ପ୍ରାୟ ୫ ଏକର ଜମିରେ ଧାନଚାଷ କରିଥିଲେ। ପାଣି ଅଭାବରୁ ଅଢ଼େଇ ଏକର ଢିପଜମିର ଧାନ ଶୁଖି ନଷ୍ଟ ହୋଇଯାଇଥିଲା। ଏବେ ଅବଶିଷ୍ଟ ଅଢ଼େଇ ଏକର ଜମିରୁ ଭଲ ଅମଳ ଆଶା ରଖିଥିବାବେଳେ ବାତ୍ୟା ବର୍ଷାରେ ଏକରେ ଜମିର ଧାନ ନଷ୍ଟ ହୋଇଛି। ସେହିପରି ଗାଁର ଯଦୁମଣି ମାଝୀ ଧାନ କାଟୁଥିବା ସମୟରେ ଅଚାନକ ବର୍ଷା ହେବାରୁ କଟା ଧାନ କ୍ଷେତରେ ପଡ଼ି ରହିଛି। ପାଣିରେ ବୁଡ଼ି ଧାନ ନଷ୍ଟ ହେବା ଆଶଙ୍କା ତାଙ୍କ ଚିନ୍ତା ବଢ଼ାଇଛି। ଟାଙ୍ଗରପାଲି ବ୍ଲକ୍ ତସଲାଡିହି ପଞ୍ଚାୟତରେ ମଧ୍ୟ ସମାନ ସ୍ଥିତି। ପୂର୍ବରୁ ଜଳାଭାବରେ ଢିପଜମିର ଧାନ ଫସଲ ଜଳି ଯାଇଥିବାବେଳେ ଏବେ ଖାଲୁଆ ଜମିର ପାଚିଲା ଧାନ ଲଗାଣ ବର୍ଷା ଓ ପ୍ରବଳ ପବନରେ ମାଟିରେ ଶୋଇପଡ଼ିଛି। କନକଯୁରା ଗାଁର କିଶୋର, ସନ୍ତୋଷ, ବିଦ୍ୟାଧର, ବୁଧୁ, ରାମରାଜ ଓ ଜନାର୍ଦ୍ଦନ ରୋହିଦାସଙ୍କ ଧାନ ଫସଲ ବିଶେଷ ଭାବେ ପ୍ରଭାବିତ ହୋଇଛି। କେବଳ ହେମଗିର ଓ ଟାଙ୍ଗରପାଲି ନୁହେଁ, ଲେଫ୍ରିପଡ଼ା, ସୁନ୍ଦରଗଡ଼ ସଦର, ସବଡେଗା, ବାଲିଶଙ୍କରା, ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର, କୁଆରମୁଣ୍ଡା, ଲାଠିକଟା, ଗୁରୁଣ୍ଡିଆ, ବଣାଇ ଓ ଲହୁଣିପଡ଼ା ବ୍ଲକ୍ରେ ମଧ୍ୟ ପାଚିଲା ଧାନ ଫସଲ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି।ତେବେ ଅନ୍ୟପଟେ ନୂଆଗାଁ, ବିଶ୍ରା, କୁଆରମୁଣ୍ଡା ଓ ଗୁରୁଣ୍ଡିଆ ଭଳି କେତେକ ବ୍ଲକ୍ରେ ଜଳାଭାବରୁ ଶୁଖିବାକୁ ବସିଥିବା ଧାନ ଫସଲ ପାଇଁ ଏହି ବର୍ଷା କିଛିଟା ଆଶ୍ୱସ୍ତି ଆଣିଛି। ତଥାପି ଗୋଟିଏ ପଟେ ମରୁଡ଼ିର ମାଡ଼, ଅନ୍ୟପଟେ ବାତ୍ୟା ବର୍ଷାର ଦାଉ। ପ୍ରକୃତିର ଏହି ଦୋହରା ମାଡ଼ରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡ଼ିଥିବାବେଳେ କ୍ଷୟକ୍ଷତି ଆକଳନ ଓ ସହାୟତାକୁ ଅପେକ୍ଷା କରିଛନ୍ତି ଚାଷୀ।