jayashree

ସୋଲାର ଫେନ୍ସିଂ ତାରରେ ଛନ୍ଦି ହୋଇ ହାତୀର ମୃତ୍ୟୁ ସନ୍ଦେହ : ବନ ବିଭାଗର ତଦନ୍ତ ଆରମ୍ଭ

ସମ୍ବଲପୁର : ବିଦ୍ୟୁତ୍ ଆଘାତରେ ଆଉ ଏକ ହାତୀର ଜୀବନ ଯାଇଥିବା ସନ୍ଦେହ। ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ବନାଞ୍ଚଳରୁ ଏକ ଅଣ୍ଡିରା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ସୂଚନା ଅନୁସାରେ, ପଡ଼ିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡା ସେକ୍ସନର ଛାମୁଣ୍ଡା ବିଟ୍ ଅଧୀନ ଏକ ଜମିରେ ଶୁକ୍ରବାର ହାତୀଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପଡ଼ିଆବାହାଲ ରେଞ୍ଜର ସୁନୀଲ ଖିଲାରୀ ବନ ବିଭାଗର କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ସମୟରେ ମୃତ ହାତୀର ଶରୀରରେ ସୋଲାର ଫେନ୍ସିଂ ତାର ଗୁଡ଼ାଇ ହୋଇଥିବା ଦେଖାଯାଇଛି। ଫଳରେ ତାରରେ ବିଦ୍ୟୁତ୍ ଆଘାତ ଲାଗି ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏହା ହିଁ ମୃତ୍ୟୁର ପ୍ରକୃତ କାରଣ କି ନୁହେଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ହାତୀର ଶବ ବ୍ୟବଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ବିଭାଗୀୟ ତଦନ୍ତ ପରେ ହାତୀର ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.