
ରାୟଗଡ଼ା : ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ଏଭଳି ଏକ ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଉଛନ୍ତି ବାଘଡଙ୍ଗରି ଗ୍ରାମର ଗରିବ ବାଗ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗରିବ ଘରୁ ବାହାରି ଯାଇଥିଲେ। ମାତ୍ର ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ରେଲୱେ କଲୋନୀ ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ ଘର ସମ୍ମୁଖରେ ଥିବା ଖୋଲା ପାଇଖାନା ଟାଙ୍କିରେ ତାଙ୍କ ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗରିବଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ସନ୍ଦେହ ପ୍ରକାଶ କରି ଅଭିଯୋଗ ଆଣିଛନ୍ତି। ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।