jayashree

ବନ୍ୟା ସ୍ଥିତିରେ ସୁଧାର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର

ଛତ୍ରପୁର : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିରେ ଏବେ ଧୀରେ ଧୀରେ ସୁଧାର ଆସୁଛି। ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଭଞ୍ଜନଗରରୁ ଛତ୍ରପୁର ପର୍ଯ୍ୟନ୍ତ ନଦୀକୂଳିଆ ଅଞ୍ଚଳର ଅନେକ ଗାଁ ଜଳମଗ୍ନ ହୋଇଥିଲା। ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ବହୁ ଲୋକ ଜଳବନ୍ଦୀ ହୋଇ ରହିଥିଲେ। ତେବେ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଚଲାଯାଉଛି। ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ଜଳମଗ୍ନ ରାସ୍ତା ଓ ଜନବସତିରୁ ପାଣି ନିଷ୍କାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଅନ୍ୟପଟେ ବନ୍ୟାଜଳ ଯୋଗୁଁ ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇଥିବା ଯାତାୟାତକୁ ସ୍ୱାଭାବିକ କରିବାକୁ ମଧ୍ୟ ଉଦ୍ୟମ ଜାରିରହିଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁଯାୟୀ, ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ସହ ଉଦ୍ଧାର କାର୍ୟ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଯେଉଁ ଅଞ୍ଚଳକୁ ବୋଟ୍ ଯୋଗେ ପହଞ୍ଚିବା ସମ୍ଭବ ହେଉନାହିଁ, ସେଠାରେ ହେଲିକେପ୍ଟର ମାଧ୍ୟମରେ ଖାଦ୍ୟ ପ୍ୟାକେଟ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଚାଲିଛି। ଗତକାଲି ପରୀକ୍ଷାମୂଳକ ଭାବେ ଆକାଶମାର୍ଗରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ। ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୫ଟି ଓଡ୍ରାଫ୍ ଟିମ୍ ଏବଂ ୫୦ରୁ ଅଧିକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଟିମ୍‌ଗୁଡ଼ିକ ଜଳବନ୍ଦୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ବିପନ୍ନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଉଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନଜୀବନକୁ ଶୀଘ୍ର ସ୍ୱାଭାବିକ କରିବା ଏବେ ପ୍ରଶାସନର ପ୍ରାଥମିକତା ରହିଛି।

Leave A Reply

Your email address will not be published.