
ମୟୂରଭଞ୍ଜ : ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତାଙ୍କର ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ତୃତୀୟ ସଂଶୋଧିତ କାର୍ୟ୍ୟସୂଚୀ ଅନୁଯାୟୀ, ସେ ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ସଡ଼କ ପଥରେ ରାଇରଙ୍ଗପୁରରେ ପହଞ୍ଚିବେ । କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୩ ତାରିଖରେ ଦିଲ୍ଲୀର ପାଲାମ ବିମାନବନ୍ଦରରୁ ବାୟୁସେନା ବିମାନ ଯୋଗେ କଲାଇକୁଣ୍ଡାରେ ଅବତରଣ କରିବେ ରାଷ୍ଟ୍ରପତି । ସେଠାରୁ ବହଡ଼ାଗୋଡ଼ା ଫରେଷ୍ଟ ଗେଷ୍ଟ ହାଉସରେ ମଧ୍ୟାହ୍ନଭୋଜନ ପରେ ସଡ଼କ ପଥରେ ରାଇରଙ୍ଗପୁର ହଲିଡେ ହୋମ୍ରେ ପହଞ୍ଚିବେ । ସନ୍ଧ୍ୟାରେ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଆରତିରେ ସାମିଲ ହେବା ପରେ ରାଇରଙ୍ଗପୁରରେ ରାତ୍ରିଯାପନ କରିବେ । ସେହିପରି ନଭେମ୍ବର ୪ ତାରିଖରେ ମହୁଲଡିହା ଲକ୍ଷ୍ମୀ ମଣ୍ଡପ ଦର୍ଶନ, ସିଏସ୍ଡି କ୍ୟାଣ୍ଟିନ ଉଦ୍ଘାଟନ ସହ ତିନି ଜଣ ବୀର ନାରୀଙ୍କୁ ସମ୍ମାନିତ କରିବେ । ଏହାପରେ ବାଦାମପାହାଡ଼ଠାରେ ଦୁଇଟି ଅମୃତ ଭାରତ ରେଳ ଷ୍ଟେସନର ଉଦ୍ଘାଟନ କରିବା ସହ ରାଇରଙ୍ଗପୁରର ଗୋଶାଳା ଏବଂ ଆସେକା ବିଲ୍ଡିଂ ନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ । ଗସ୍ତର ଶେଷ ଦିନ ଅର୍ଥାତ୍ ନଭେମ୍ବର ୫ ତାରିଖରେ ଗୋରୁମହିଷାଣିସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିବେ । ଏଥିସହ ଜାହିରାଠାରେ ଶାଳ ଓ ମହୁଲ ଗଛ ରୋପଣ କରିବା ପରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଏହି ତିନି ଦିନିଆ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି ।