
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ଥାନା ପୁଲିସ ଗଞ୍ଜେଇ ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ୨୫ କିଲୋ ୨୫୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଚାଲାଣରେ ବ୍ୟବହୃତ ଏକ ଇକୋ ଭ୍ୟାନ୍ ଓ ତିନୋଟି ମୋବାଇଲ ଫୋନ୍ ଜବତ ହୋଇଛି । ଏହି ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ଜଣେ ଫେରାର ଥିବା ପୁଲିସ ସୂଚନା ଦେଇଛି ।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ସକାଳ ପ୍ରାୟ ୮ଟା ୧୦ ମିନିଟ୍ରେ ପାଇକମାଲ ଥାନାଧିକାରୀ ମାରିଆନୁସ ମିଞ୍ଜ ଏକ ଇକୋ ଭ୍ୟାନ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସନୀୟ ସୂତ୍ରରୁ ଖବର ପାଇଥିଲେ । ଉକ୍ତ ଗାଡ଼ିଟି ପୁରେନା ପଟୁ ନୂଆପଡ଼ା ଅଭିମୁଖେ ଯାଉଥିବା ସୂଚନା ମିଳିବା ପରେ ପୁଲିସ ଟିମ୍ ଚେରେଙ୍ଗାଝାଞ୍ଜ ବିଜୁ ଏକ୍ସପ୍ରେସ ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡ଼ି ଭିତରୁ ୨୫ କିଲୋ ୨୫୦ ଗ୍ରାମ ଗଞ୍ଜେଇ ମିଳିଥିଲା । ଏହି ଘଟଣାରେ ପୁଲିସ ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ଅନ୍ତର୍ଗତ ଭାଲେଶ୍ୱର ଗାଁର ପିଣ୍ଟୁ ଶତନାମୀ (୨୧), ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଅନ୍ତର୍ଗତ ଭାଟଗାଁର ହେମତାଜ ଶତନାମୀ (୨୦) ଏବଂ ନୂଆପଡ଼ା ଜିଲ୍ଲା ଖରିଆରରୋଡ୍ ଜୋଙ୍କ ଥାନା ଅନ୍ତର୍ଗତ ପରକୋଡ଼ ଗାଁର ରିକେଶ ଶତନାମୀ (୧୭)ଙ୍କୁ ଗିରଫ କରିଛି । ଏହି ଚାଲାଣରେ ପୁରେନା ଗାଁର ଅର୍ଜୁନ ବଗର୍ତ୍ତୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ସେ ଫେରାର ଥିବା ପୁଲିସ କହିଛି । ଘଟଣାସ୍ଥଳରେ ପାଇକମାଲର ଅତିରିକ୍ତ ତହସିଲଦାର ହରିଶ ସିଂ ମାଝୀଙ୍କ ଉପସ୍ଥିତିରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ କରି ପୁଲିସ ଗଞ୍ଜେଇ, ଇକୋ ଭ୍ୟାନ୍ ଓ ତିନୋଟି ମୋବାଇଲ ଫୋନ୍ ଜବତ କରିଥିଲା। ଏନେଇ ପାଇକମାଲ ଥାନାରେ କେସ୍ ନଂ ୨୮୨/୨୦୨୬ ରୁଜୁ ହୋଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସବ୍ଇନ୍ସପେକ୍ଟର ବୀଣା ତିର୍କି ସୂଚନା ଦେଇଛନ୍ତି ।