
ଦେଓଗାଁ, (ମନୀଷ କୁମାର ସାହୁ) : ବାତ୍ୟା ‘ଅର୍ଣ୍ଣବ୍’ର ପ୍ରଭାବ ଦେଓଗାଁ ଓ ଗୁଡ଼ଭେଲା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଶୁଖିଲା ଜମିରେ ପାଣି ଭର୍ତ୍ତି ହେବାରୁ କିଛି ଚାଷୀଙ୍କୁ ସଞ୍ଜିବନୀ ମିଳିଥିବା ବେଳେ ଆଉ କିଛି ଚାଷୀଙ୍କ ସର୍ବନାଶ ହୋଇଛି । ତେବେ ରାତି ଦିନ ହୋଇଥିବା ପବନ ଓ ଝିପିଝିପି ବର୍ଷାରେ ପାଚିଲା ଧାନ ପଡିଯାଇ ପାଣିରେ ଭାସୁଥିବା ବେଳେ ଆଖୁ ଚାଷ ମଧ୍ୟ ନଷ୍ଟ ହୋଇଥିବାର ଚିତ୍ର ଦେଖିବାକୁ ମିଳିଛି। ଦେଓଗାଁ ବ୍ଲକର କୁଲୁତାପଡ଼ା, ମକୁନ୍ଦପୁର, ଉପରଝର, ମହଲାଇ, ଦେଓଗାଁ, କୁତୁର୍ଲା, ସିକୁଆଁ, ବଡ଼ବନ୍ଧ, ବନ୍ଧପଡା, ରାମଚନ୍ଦ୍ରପୁର, ଦେଷଣ୍ଢ ପଞ୍ଚାୟତର ବିଭିନ୍ନ ଗାଁରେ ଧାନ ପଡ଼ି ଯାଇ ପାଣିରେ ଭାସୁଥିବା ବେଳେ ସିକୁଆଁ, ବଡ଼ବନ୍ଧ, ମୁରସିଂହ ଗାଁରେ ଆଖୁ ପଡ଼ି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ଗୁଡଭେଲା ବ୍ଲକର ଡାହିମାଲ, ଦେଉଳଗୁଡି, ମାଢେକେଲା, ବିରାମୁଣ୍ଡା, ଜାମୁଟ, ଗୁଡଭେଲା, ତୁଷୁରା ଏନ୍ଏସି, ନୂଆପଡ଼ା, ସମରା ପଞ୍ଚାୟତର ବିଭିନ୍ନ ଗାଁରେ ଧାନ, ପନିପରିବା ଚାଷ ନଷ୍ଟ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ଚାଷ ନଷ୍ଟ ହୋଇଥିଲେ ବି କୃଷି କି ରାଜସ୍ୱ ବିଭାଗର କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଖାଲି ଧାନ କି ଆଖୁ ନଷ୍ଟ ହୋଇଛି ତାହା ନୁହେଁ। ଅନେକ ଗାଁରେ ଲୋକଙ୍କ ଘରଦ୍ୱାର ମଧ୍ୟ ଭାଙ୍ଗିଥିବାର ଜଣାପଡ଼ିଛି । ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।