jayashree

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା, ବ୍ୟାପକ ଧାନ ଫସଲ ନଷ୍ଟ

  • ଅମଳ ପୂର୍ବରୁ ବିଲରେ ଲୋଟିପଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତରେ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଅମଳ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ବିଲରେ ପାଚିଲା ଧାନ ଗଛଗୁଡ଼ିକ ଲୋଟିପଡ଼ିଥିବା ଦେଖି ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି । ଚଳିତ ଖରିଫ ଋତୁରେ ଧାନ ଫସଲର ସ୍ଥିତି ଭଲ ରହିଥିଲା। ଫସଲ ଭଲ ହୋଇଥିବାରୁ ଚାଷୀ ଓ ସେମାନଙ୍କ ପରିବାର ଭଲ ଅମଳ ଆଶାରେ ଖୁସି ଥିଲେ। ଧାନ ଅମଳରୁ ମିଳିବାକୁ ଥିବା ଅର୍ଥରେ ପରିବାରର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସହ ଋଣ ପରିଶୋଧ କରିବାକୁ ଅନେକ ଚାଷୀ ଯୋଜନା କରିଥିଲେ। କିନ୍ତୁ ବାତ୍ୟାଜନିତ ଲଗାଣ ବର୍ଷା ଓ ପବନ ସେମାନଙ୍କ ଆଶାରେ ପାଣି ପକାଇ ଦେଇଛି। କ୍ଷେତରେ ଧାନ ଗଛ ଲୋଟିପଡ଼ିବା ଯୋଗୁଁ ଫସଲର ଗୁଣମାନ ହ୍ରାସ ପାଇବା ସହ ଧାନ ଝଡ଼ିବା ଓ ଗଜା ହେବାର ଆଶଙ୍କା ରହିଛି। ଏହା ଫଳରେ ଉତ୍ପାଦନ ହ୍ରାସ ପାଇବା ସହ ଚାଷୀଙ୍କ ଆର୍ଥିକ କ୍ଷତି ବଢ଼ିବାର ସମ୍ଭାବନା ରହିଛି। ଚାଷ ପାଇଁ କରିଥିବା ଖର୍ଚ୍ଚ ଉଠାଇବା ନେଇ ମଧ୍ୟ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ରେଙ୍ଗାଲି ଗାଁର ଚାଷୀ ଦୈତାରୀ ପାତ୍ର, ବେଣୁଧର ପଧାନ, ହେଜମଣି ସାହୁଙ୍କ ସମେତ ଅନ୍ୟ ଚାଷୀମାନେ କ୍ଷତିଗ୍ରସ୍ତ ଧାନ ଫସଲର ତୁରନ୍ତ ସର୍ଭେ ଓ ଆକଳନ କରିବାକୁ ଦାବି କରିଛନ୍ତି। ରାଜସ୍ୱ ଓ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପ୍ରକୃତ କ୍ଷୟକ୍ଷତି ଆକଳନ କରିବା ସହ ଯୋଗ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର ସରକାରୀ ଆର୍ଥିକ ସହାୟତା ଓ ଫସଲ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଚାଷୀଙ୍କ କହିବା ଅନୁଯାୟୀ, ଠିକ୍ ଅମଳ ସମୟରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ଜୀବିକାକୁ ସଙ୍କଟରେ ପକାଇଛି। ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.