jayashree

ଅର୍ଣ୍ଣବ ପ୍ରଭାବ : ପାଇକମାଲରେ ଦିନତମାମ ଝିପିଝିପି ବର୍ଷା, ଧାନ ଅମଳ ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଣ୍ଣବର ପ୍ରଭାବରେ ପାଇକମାଲ ବ୍ଲକ୍‌ରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୃଦୁ ପବନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ରାସ୍ତାଘାଟରେ ଯାତାୟାତ ହ୍ରାସ ପାଇଥିବାବେଳେ ଧାନ ଅମଳ ଓ ସଂରକ୍ଷଣକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ, ଖରାପ ପାଗ ମଧ୍ୟରେ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଛୁଟି ଘୋଷଣା କରିବାକୁ ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ସକାଳୁ ଆରମ୍ଭ ହୋଇଥିବା ବର୍ଷା ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିବାରୁ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଫଳରେ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଅପେକ୍ଷାକୃତ ଶୂନଶାନ ରହିଥିଲା । ଲଗାତାର ବର୍ଷା ଓ ପବନ ଯୋଗୁଁ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା । ଖରାପ ପାଗର ପ୍ରଭାବ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ପଡ଼ିଛି । ବର୍ଷା ଯୋଗୁଁ ବହୁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇନଥିବା ଜଣାପଡିଛି । ଏଭଳି ପାଗରେ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବା ଏବଂ ଫେରିବା ସମୟରେ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତିତ ଅଛନ୍ତି । ପାଗର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଛୁଟି ଘୋଷଣା କରିବା ସହ ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେହିପରି ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଅମଳ ଓ ସଂରକ୍ଷଣ ସମସ୍ୟା ଗୁରୁତର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ଅମଳ ହୋଇଥିବା ଧାନ ଖୋଲା ସ୍ଥାନରେ ପଡିରହିଥିବାରୁ ତାହା ଭିଜିବା ଏବଂ ଗୁଣବତ୍ତା ହ୍ରାସ ପାଇବାର ଭୟ ରହିଛି । ବର୍ଷା ଜାରି ରହିଲେ ଧାନ ଶୁଖାଇବା ଓ ସୁରକ୍ଷିତ ଭାବେ ରଖିବାରେ ଚାଷୀଙ୍କୁ ସମସ୍ୟା ଭୋଗିବାକୁ ପଡିପାରେ । ଫଳରେ ଚଳିତ ଧାନ ଅମଳକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଏପଟେ ପବନ ଓ ବର୍ଷା ଯୋଗୁଁ କେତେକ ସ୍ଥାନରେ ଗଛ ଉପୁଡି ପଡିଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି । ଅର୍ଣ୍ଣବର ପ୍ରଭାବରେ ବର୍ଷା ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ପ୍ରଶାସନର ପଦକ୍ଷେପ ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି । ବର୍ତ୍ତମାନ ଗୋଟିଏ ପଟେ ଜନଜୀବନ ଓ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଥିବାବେଳେ ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଚାଷୀଙ୍କ ଧାନ ଅମଳ ମୁଖ୍ୟ ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.