
- କାଠରେ ନାହିଁ ଷ୍ଟାମ୍ପ କିମ୍ବା ମାର୍କିଂ, ବେଆଇନ ଚାଲାଣ ସନ୍ଦେହ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଅଞ୍ଚଳରେ କାଠ ଗଣ୍ଡି ବୋଝେଇ ଏକ ଟ୍ରକ୍କୁ ବନ ବିଭାଗ ଜବତ କରିଛି । ଟ୍ରକ୍ରୁ ବଡ଼ ବଡ଼ କାଠ ଗଣ୍ଡି ଉଦ୍ଧାର ହୋଇଥିବା ବେଳେ କାଠଗୁଡ଼ିକରେ କୌଣସି ଷ୍ଟାମ୍ପ, ନମ୍ବର କିମ୍ବା ଚିହ୍ନଟ ମାର୍କିଂ ନଥିବା ଜଣାପଡ଼ିଛି । ଏହାକୁ ନେଇ କାଠର ବୈଧତା ଓ ପରିବହନକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ରାତ୍ରି ସମୟରେ କଣ୍ଟାବାଞ୍ଜିରୁ ବଲାଙ୍ଗିର ଅଭିମୁଖେ କାଠ ଗଣ୍ଡି ନେଇ ଏକ ଛତିଶଗଡ଼ ନମ୍ବର ବିଶିଷ୍ଟ ଟ୍ରକ୍ ଯାଉଥିବା ବେଳେ ବନ ବିଭାଗ ଗାଡ଼ିଟିକୁ ଅଟକାଇ ଜବତ କରିଥିଲା । ଯାଞ୍ଚ ସମୟରେ ଟ୍ରକ୍ରେ ବଡ଼ ବଡ଼ କାଠ ଗଣ୍ଡି ଥିବା ଦେଖିବାକୁ ମିଳିଥିଲା । କାଠ ଗଣ୍ଡିଗୁଡ଼ିକରେ ଷ୍ଟାମ୍ପ, ନମ୍ବର କିମ୍ବା ମାର୍କିଂ ନଥିବାରୁ ଏହା ବେଆଇନ ଭାବେ ଚାଲାଣ ହେଉଥିବା ଅନୁମାନ କରାଯାଉଛି । ତେବେ କେବଳ ମାର୍କିଂ ନଥିବା ଆଧାରରେ ଚାଲାଣକୁ ବେଆଇନ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ । କାଠର ଉତ୍ସ, ପରିବହନ ଅନୁମତି ଓ ଆବଶ୍ୟକ କାଗଜପତ୍ର ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ । କାଠ କେଉଁଠାରୁ ଆସିଥିଲା, କିଏ ଏହାକୁ ନେଇ ଯାଉଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାରେ କୌଣସି ଗିରଫଦାରୀ ହୋଇଥିବା ସୂଚନା ମଧ୍ୟ ମିଳିନାହିଁ ।