jayashree

ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜର ନବନିର୍ବାଚିତ ଛାତ୍ର ପ୍ରତିନିଧି

କେନ୍ଦ୍ରାପଡ଼ା : ଛାତ୍ର ସଂସଦ ନିର୍ବାଚନରେ ବିଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ବାୟାବାବା କଲେଜର ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ। ଶନିବାର ମହାକାଳପଡ଼ା ବ୍ଲକସ୍ଥିତ ବାୟାବାବା କଲେଜର ନିର୍ବାଚିତ ଛାତ୍ରଛାତ୍ରୀମାନେ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ନବୀନ ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଛାତ୍ରଜୀବନରୁ ନିଷ୍ଠା, ଏକାଗ୍ରତା ଓ ସ୍ୱାଭିମାନକୁ ପାଥେୟ କରି ନିଜକୁ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ସହ ରାଷ୍ଟ୍ର ଗଠନରେ ଯୋଗଦାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଛାତ୍ର ସଂସଦ ସଭାପତି ସୌମ୍ୟଜିତ ମଲିକ, ଉପସଭାପତି ସବ୍ୟସାଚୀ ଖଟୁଆ, ସମ୍ପାଦିକା ସମ୍ପୂର୍ଣ୍ଣା ଜେନା ଓ ସହସମ୍ପାଦକ ମଳୟ ସ୍ୱାଇଁଙ୍କ ସମେତ ୬୦ରୁ ଅଧିକ ଛାତ୍ରଛାତ୍ରୀ ଏହି ସାକ୍ଷାତକାରରେ ସାମିଲ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ନବୀନ ନିବାସରେ ପହଞ୍ଚିଥିଲେ।

Leave A Reply

Your email address will not be published.