
ଭୁବନେଶ୍ୱର : ଧନ୍ତେରସ୍ ଓ ଦୀପାବଳି ପୂର୍ବରୁ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ବଡ ଖବର। ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଚଳିତ ସପ୍ତାହରେ ସୁନା ଦର ପ୍ରାୟ ୪ ପ୍ରତିଶତ ଖସିଥିବା ବେଳେ ଗତ ଚାରି ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି। ଅଶୋଧିତ ତୈଳ ଦର ବୃଦ୍ଧି, ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ଏବଂ କଠୋର ମୁଦ୍ରାନୀତିର ଆଶଙ୍କା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ପ୍ରାୟ ୪ ହଜାର ଡଲାରକୁ ଖସିଥିବା ସୂଚନା ମିଳିଛି। ତେବେ ସ୍ଥାନୀୟ ବଜାରରେ ସୁନା ଦରରେ ସାମାନ୍ୟ ବୃଦ୍ଧି ମଧ୍ୟ ଦେଖାଯାଇଛି । ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧ ଲକ୍ଷ ୪୨ ହଜାର ୫୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୩୦ ହଜାର ୭୦୦ ଟଙ୍କା ରହିଛି । ସେହିପରି ୧୮ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୬ ହଜାର ୯୪୦ ଟଙ୍କା ରହିଛି । ଅକ୍ଟୋବର ୨୦ ତାରିଖଠାରୁ ସୁନା ଦର ପ୍ରାୟ ୫ ହଜାର ଟଙ୍କା ହ୍ରାସ ପାଇଥିବା କୁହାଯାଉଛି । କେବଳ ସୁନା ନୁହେଁ, ରୂପା ଦରରେ ମଧ୍ୟ ବଡ଼ ହ୍ରାସ ଘଟିଛି । ବର୍ତ୍ତମାନ ରୂପା କିଲୋଗ୍ରାମ ପିଛା ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କାକୁ ଖସିଆସିଛି । ଚଳିତ ବର୍ଷ ଜାନୁଆରୀରେ ରୂପା ଦର ୪ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ସୂଚନା ରହିଛି । ତେବେ ପାର୍ବଣ ସମୟରେ ସୁନା ଓ ରୂପା ଦରରେ ଏହି ପରିବର୍ତ୍ତନ ଗ୍ରାହକଙ୍କୁ କେତେ ଆଶ୍ୱସ୍ତି ଦେବ, ତାହା ଆଗାମୀ ଦିନର ବଜାର ଗତିବିଧି ଉପରେ ନିର୍ଭର କରିବ।