jayashree

ମହୁଲପାଟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ଡୋକରି ବୁଢ଼ୀଙ୍କ ଏକ ଲଘୁ ଚଳଚ୍ଚିତ୍ର ଲୋକାର୍ପିତ

ଜୟପାଟଣା, (ଶେଷଦେବ ବେହେରା) : ମହୁଲପାଟ ଅଞ୍ଚଳର ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟି ଥିବା ଇଷ୍ଟ ଦେବୀ ମା’ ଡୋକରି ଦେବୀଙ୍କ ମହିମାକୁ ନେଇ ଏକ ଲଘୁ ଚଳଚ୍ଚିତ୍ର ଲୋକାର୍ପିତ ହୋଇଯାଇଛି । ତାଳଗୁଡ଼ ଗ୍ରାମର ପ୍ରାକୃତିକ ସୁରମ୍ୟ ସମ୍ଭାର ସାଙ୍ଗକୁ ଛଞ୍ଚାଣ ଗାଢ଼ ଝରଣା ଚିରସ୍ରୋତା ପ୍ରବାହ ସହ ଉଦୟ ଗିରି ପାହାଡ଼ର ପାଦଦେଶରେ ମାଆଙ୍କ ମନ୍ଦିରର ଅବସ୍ଥିତି । ମାଆଙ୍କ ଉପରେ ଯୁଗ ଯୁଗ ଧରି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ମା’ଙ୍କ ଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିଥାଏ । ନାଗ ବଂଶର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୁଜା ପାଇ ଆସୁଥିବା ମାଆ ଡୋକରିଙ୍କ ନବରାତ୍ରୀ ପୁଜା ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ଆକର୍ଷଣ ଯୋଗାଇଥାଏ । କିମ୍ବଦନ୍ତୀକୁ ଆଧାର କରି ଚଳଚିତ୍ର ନିର୍ମାଣ ହୋଇଥିବା ବେଳେ କଳାକାରମାନଙ୍କ ଜୀବନ୍ତ ପରିବେଷଣ ସମସ୍ତଙ୍କୁ ବିମୋହିତ କରିପାରିଛି । ରଞ୍ଜିତ କୁମାର ପଣ୍ଡାଙ୍କ ପ୍ରଯୋଜନା ସାଙ୍ଗକୁ ଯୁବ ପ୍ରତିଭା ତ୍ରିଶକ୍ତି ରାଉତଙ୍କ ରଚନା ଓ ନିର୍ଦ୍ଦେଶନା ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି । ଚଳଚ୍ଚିତ୍ରରେ ରାମ ଚନ୍ଦ୍ରସିଂହ, ମୋହନ ରାଓ, ହିରଣ୍ୟ ନାଏକ, ଶ୍ୟାମ ଦଣ୍ଡ ପାଟ, ମାଆ ଗୀତାଙ୍କ ନିଖୁଣ ଅଭିନୟ ଚାଳିଶ ମିନିଟର ଅଭିନୟ ସମସ୍ତଙ୍କୁ ବାନ୍ଧି ରଖିଥିଲା । ରାଣୀ ସାହେବା ସୋନମ୍ ସିଂହଦେଓଙ୍କ ଆବାହନ କ୍ରମେ ବିଭିନ୍ନ ବ୍ୟକ୍ତିଙ୍କ ଆଯାଜିତ ସହଯୋଗ ଚଳଚ୍ଚିତ୍ର ପଛରେ ରହିଥିଲା । ଜୟପାଟଣା ସ୍ଥିତ ପିଆର୍‌ ପାଲେସରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦୀସାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚଳଚ୍ଚିତ୍ରର ଶୁଭ ଉଦ୍‌ଘାଟନ କରିଥିଲେ । ବୀର କିଶୋର ପଣ୍ଡା, ହରେକୃଷ୍ଣ ଦାସ, ଶେଷଦେବ ବେହେରା, ଚିତ୍ତ ରଂଜନ ଦଳପତି, ରୂପ ମଞ୍ଜରୀ ଦେବୀ ପ୍ରମୁଖ ଅତିଥି ଭାବରେ ଆସିନ ଥିବା ବେଳେ ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ତାପସ ଧଙ୍ଗଡା ମାଝି କଳା ନିର୍ଦ୍ଦେଶନା କରିଥିବା ବେଳେ ତ୍ରିଶକ୍ତି ରାଉତ, ବିକାଶ ପଟେଲ, ସତ୍ୟ ରାଜ ଗୁରୁ, ଟୁନା ସାହୁ, କିଶୋର ସାହୁ, ବିଶାଳ ରାଉତ, ଗୌରବ କୁମାର, ରାଘବ ଛତ୍ରିଆ, ଶିବ ପଟେଲ, ମାନସ ଧଙ୍ଗଡା ମାଝୀ, ପ୍ରମୁଖ ବୈଷୟିକ ଦଳରେ ସାମିଲ ଥିବା ବେଳେ ବିଶ୍ୱଜିତ ମହାପାତ୍ର କଣ୍ଠଦାନ କରିଥିଲେ । ଅମିର ନାଏକ ଗୀତ ରଚନା କରିଥିଲେ ।

Leave A Reply

Your email address will not be published.