jayashree

ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି

  • ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପର୍ଯ୍ୟଟନର ଆକର୍ଷଣୀୟ ସ୍ଥଳ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣକୁ ନେଇ ପୋଲିସ ଏବେ ଆକ୍ସନ ମୋଡ୍‌ରେ । ହୋଟେଲରୁ ଆରମ୍ଭ କରି ରିସର୍ଟ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ସିସିଟିଭି କ୍ୟାମେରା ଲଗାଇବା ସହ ରେକର୍ଡିଂ ସଂରକ୍ଷଣ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମାତ୍ର ୭ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ନିୟମ ପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପୋଲିସ ସ୍ପଷ୍ଟ କରିଛି । କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ ଓ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ଏହି ପଦକ୍ଷେପ ଆରମ୍ଭ ହୋଇଛି । ପୋଲିସ ପକ୍ଷରୁ ଅଞ୍ଚଳର ବିଭିନ୍ନ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟ ଯାଞ୍ଚ କରାଯାଇ ନିର୍ଦ୍ଦେଶ ପାଳନ କରିବାକୁ ମାଲିକମାନଙ୍କୁ କୁହାଯାଇଛି । କେବଳ କ୍ୟାମେରା ଲଗାଇଲେ ହେବନି, ଫୁଟେଜ୍‌ ରଖିବା ବି ବାଧ୍ୟତାମୂଳକ ପୋଲିସର ନିର୍ଦ୍ଦେଶ ଅନୁଯାୟୀ, ହୋଟେଲ ଓ ଅନ୍ୟାନ୍ୟ ରହଣି ସ୍ଥଳରେ ସିସିଟିଭି କ୍ୟାମେରା ଲଗାଇବା ସହ ଏହାର ଭିଡିଓ ଫୁଟେଜ୍‌ ଅତିକମରେ ୧୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ହେବ । ଆବଶ୍ୟକ ସମୟରେ ତଦନ୍ତ ପାଇଁ ଏହି ଫୁଟେଜ୍‌ ପୋଲିସକୁ ସହାୟତା କରିବ । ଏଥିସହ ହୋଟେଲରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକଙ୍କ ପରିଚୟ ସମ୍ବନ୍ଧୀୟ ତଥ୍ୟ ଓ ଆଧାରକାର୍ଡ ସମ୍ପର୍କିତ ବିବରଣୀ ଥାନାରେ ଦାଖଲ କରିବାକୁ ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି । ନିର୍ଦ୍ଦେଶ ଅନୁପାଳନର ସ୍ଥିତି ଯାଞ୍ଚ କରିବାକୁ ଆସନ୍ତା ୨୨ ତାରିଖରେ ପୁଣିଥରେ ଯାଞ୍ଚ କରାଯିବ । ଏହି ସମୟରେ ନିୟମ ଉଲ୍ଲଂଘନ ଚିହ୍ନଟ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ମଧ୍ୟରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏକାଧିକ ଚୋରି ଘଟଣା ସାମ୍ନାକୁ ଆସିଛି । ଏହି ମାମଲା ଗୁଡ଼ିକରେ ଅଭିଯୁକ୍ତଙ୍କୁ ଧରିବା ଦିଗରେ ପୋଲିସ ସଫଳ ହୋଇପାରିନଥିବା ଅଭିଯୋଗ ରହିଛି । ଅନ୍ୟପଟେ, ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ଯୁବକ ଦାରିଙ୍ଗବାଡ଼ିର ଏକ ହୋଟେଲରେ ରହିବା ପରେ ରେନବୋ ଜଳପ୍ରପାତ ନିକଟରେ ତାଙ୍କ ମୃତଦେହ ମିଳିବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ଉକ୍ତ ଘଟଣାର ତଦନ୍ତ ସମୟରେ ପୋଲିସକୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବାରେ ଅସୁବିଧା ହୋଇଥିବା ସୂଚନା ମିଳିଛି । ଏପରି ପରିସ୍ଥିତିରେ ଅପରାଧର ତଦନ୍ତକୁ ଅଧିକ ସୁଦୃଢ଼ କରିବା, ସନ୍ଦିଗ୍ଧଙ୍କ ଗତିବିଧି ଯାଞ୍ଚ କରିବା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସିସିଟିଭି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । କେବଳ ହୋଟେଲ ଓ ରିସର୍ଟରେ ସୀମିତ ରହିବନି ଏହି ସୁରକ୍ଷା ବ୍ୟବସ୍ଥା । ଦାରିଙ୍ଗବାଡ଼ିର ବିଭିନ୍ନ ବଜାର ଓ ଛକରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଯୋଜନା ହୋଇଛି । ଏଥି ନିମନ୍ତେ ହୋଟେଲ ସଂଘ, ବଣିକ ସଂଘ ଓ ପ୍ରଶାସନକୁ ନେଇ ଏକ ମିଳିତ ବୈଠକ କରାଯିବ । ସମସ୍ତଙ୍କ ସହଯୋଗରେ ବିଭିନ୍ନ ଛକ ଓ ବଜାରରେ କ୍ୟାମେରା ସ୍ଥାପନ କରିବାର ବ୍ୟବସ୍ଥା କରାଯିବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ଦାରିଙ୍ଗବାଡ଼ି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ । ଏଭଳି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ନହେବା ଏବଂ ଅପରାଧ ଘଟିଲେ ତଦନ୍ତ ପାଇଁ ଆବଶ୍ୟକ ତଥ୍ୟ ଉପଲବ୍ଧ ହେବା ଜରୁରୀ । ଏବେ ପୋଲିସର ଏହି ପଦକ୍ଷେପ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଆସନ୍ତା ୨୨ ତାରିଖର ଯାଞ୍ଚ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.