
- “ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା, ପୂର୍ବତନ ଛାତ୍ରୀଙ୍କ ଯୋଗଦାନ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀନଗର ପଡ଼ାସ୍ଥିତ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ଶ୍ରୀଗଣେଶ ପୂଜା ପାଳିତ ହୋଇଯାଇଛି । ବିଦ୍ୟା, ବୁଦ୍ଧି ଓ ଜ୍ଞାନର ଆରାଧ୍ୟ ଦେବତା ଶ୍ରୀ ଗଣେଶଙ୍କ ଆରାଧନାରେ ସମଗ୍ର ବିଦ୍ୟାଳୟ ପରିସର ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ହୋଇଉଠିଥିଲା । ସକାଳ ୧୧ଟାରୁ ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ପୂଜାବିଧି ଆରମ୍ଭ ହୋଇଥିଲା । ପୂଜକ ଭାବେ ହିମାଂଶୁ ନନ୍ଦ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଦଶମ ଶ୍ରେଣୀର ଛାତ୍ରୀ ଶ୍ରୀୟା ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନାରେ ବିଦ୍ୟାଳୟ ପରିବେଶ ଭକ୍ତିମୟ ହୋଇଉଠିଥିଲା । ଏହି ପୂଜା ଅବସରରେ ବିଦ୍ୟାଳୟର ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବାରିକଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ସାଜସଜ୍ଜା ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ହିମାଳୟ ପର୍ବତର ଅବଧାରଣାକୁ ଆଧାର କରି ପୂଜା ମଣ୍ଡପକୁ ସୁନ୍ଦର ଭାବେ ସଜା ଯାଇଥିଲା । ପର୍ବତ, ପ୍ରକୃତି ଓ ପରିବେଶର ଅନନ୍ୟ ସମନ୍ୱୟରେ ତିଆରି ଏହି ସାଜସଜ୍ଜା ଛାତ୍ରୀ, ଶିକ୍ଷକ ଓ ଅତିଥିମାନଙ୍କ ମନ ମୋହିଥିଲା । ପୂଜାର ସମସ୍ତ ଦାୟିତ୍ୱ ଶିକ୍ଷୟିତ୍ରୀ ସ୍ୱରୂପା ହୋତା ନିଷ୍ଠାର ସହ ତୁଲାଇଥିଲେ । ତାଙ୍କ ତତ୍ତ୍ୱାବଧାନରେ ପୂଜାସାମଗ୍ରୀ ପ୍ରସ୍ତୁତି, ମଣ୍ଡପ ପରିଚାଳନା ଓ ଅନ୍ୟାନ୍ୟ ବ୍ୟବସ୍ଥା ସୂଚାରୁ ଭାବେ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମର ଅନ୍ୟତମ ବିଶେଷ ଆକର୍ଷଣ ଥିଲା ପୂର୍ବତନ ଛାତ୍ରୀମାନଙ୍କ ଯୋଗଦାନ । ବିଦ୍ୟାଳୟର ଗତବର୍ଷ ଅଧ୍ୟୟନ କରିଥିବା ଛାତ୍ରୀମାନେ ନିଜ ପୁରୁଣା ବିଦ୍ୟାଳୟ ପ୍ରତି ଭଲପାଇବା ଓ ଆତ୍ମୀୟତାର ସହ ପୂଜାରେ ଯୋଗଦେଇଥିଲେ । ଏହା ବିଦ୍ୟାଳୟ ଓ ପୂର୍ବତନ ଛାତ୍ରୀମାନଙ୍କ ମଧ୍ୟରେ ଥିବା ଆତ୍ମିକ ସମ୍ପର୍କକୁ ଆହୁରି ମଜବୁତ କରିଥିଲା । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସରୋଜ ନାୟକଙ୍କ ସମେତ ଶିକ୍ଷୟିତ୍ରୀ ଅନୁପମା ଉଦ୍ଗାତା, ଶୋଭନା ଚାନ୍ଦ ଓ ସୁପ୍ରଭା ମିଶ୍ର ଯୋଗଦେଇ ପୂଜାର ଶୋଭା ବଢ଼ାଇଥିଲେ । ପୂର୍ବତନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉପସ୍ଥିତି ଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଏକ ଆତ୍ମୀୟ ଭାବ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ, ଦଶମ ଶ୍ରେଣୀ ଛାତ୍ରୀ ଅମନ୍ନା ଲାଲ ଶତପଥୀ ଓ ଶିଖା ମିଶ୍ର ନିକଟସ୍ଥ ବିଦ୍ୟାଳୟଗୁଡ଼ିକୁ ନିମନ୍ତ୍ରଣ କରିବାର ଦାୟିତ୍ୱ ନେଇଥିଲେ । ସେମାନଙ୍କ ଉଦ୍ୟମରେ ଅନ୍ୟ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଉତ୍ସବର ଭାବ ବିନିମୟର ସୁଯୋଗ ସୃଷ୍ଟି ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ମାର୍ଗ ଦର୍ଶନରେ ସମଗ୍ର ପୂଜା କାର୍ଯ୍ୟକ୍ରମ ସୂଚାରୁ ଭାବେ ପରିଚାଳିତ ହୋଇଥିଲା । ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରୀ ଓ ପୂର୍ବତନ ଛାତ୍ରୀଙ୍କ ସାମୂହିକ ସହଯୋଗରେ ଗଣେଶ ପୂଜା ଏକ ମିଳନ ଉତ୍ସବର ରୂପ ନେଇଥିଲା । ପୂଜା ଅବସରରେ ବିଦ୍ୟାର୍ଥୀମାନଙ୍କ ଜ୍ଞାନ, ବୁଦ୍ଧି ଓ ବିବେକର ବିକାଶ ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଶ୍ରୀ ଗଣେଶଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ଗଣେଶ ପୂଜା ଛାତ୍ରୀମାନଙ୍କ ମନରେ ଆନନ୍ଦ, ଉତ୍ସାହ ଓ ଏକତାର ଭାବ ସୃଷ୍ଟି କରିବା ସହ ବିଦ୍ୟାଳୟର ପୁରୁଣା ଓ ନୂଆ ପିଢ଼ିକୁ ଏକ ସୂତ୍ରରେ ବାନ୍ଧିଥିଲା ।

