jayashree

ନୂଆଖାଇ ଭେଟଘାଟକୁ ନେଇ ଖବରଦାତା ସମ୍ମିଳନୀ

  • ମା’ଙ୍କୁ ରୋସଣୀ କରାଯାଇ ନଗର ପରିକ୍ରମା କରାଯିବ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସିଭିଲଟାଉନସିପ ସ୍ଥିତ ଡାଇମଣ୍ଡ ଟାୱାର ପରିସରରେ ସାମାଜିକ ସଙ୍ଗଠନ ଡ୍ରିମଟ୍ରିମ୍ ଫାଉଣ୍ଡେସନ ଓ ମା’ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମାଜସେବୀ ତଥା ଟ୍ରଷ୍ଟି ଡକ୍ଟର ପଦ୍ମନୀ ପାଣିଗ୍ରାହୀ ଉପସ୍ଥିତ ରହି ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଚଳିତ ବର୍ଷର ନୂଆଖାଇ ଭେଟଘାଟ ଉତ୍ସବର ପ୍ରସ୍ତୁତିକୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ନୂଆଖାଇ ଭେଟଘାଟ ଉତ୍ସବକୁ ଅନୁଷ୍ଠାନ ପକ୍ଷରୁ ୪ ଦିନ ଧରି ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୧, ୧୨, ୧୫ ଓ ୧୭ ତାରିଖ ପର୍ଯ୍ୟନ୍ତ ବହୁ ଧୁମ୍‌ଧାମ୍‌ରେ ଆୟୋଜନ କରାଯିବ । ପ୍ରଥମ ଦିନରେ ବିଭିନ୍ନ କଲେଜ ଓ ସ୍କୁଲ ସହ ପ୍ରତ୍ୟେକ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଡ୍ରଇଁ, ରଙ୍ଗୋଲି, କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିଭଳି ୧୨ ତାରିଖରେ ପଶ୍ଚିମ ଓଡିଶାର ଲୋକନୃତ୍ୟ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଦୁଲଦୁଲି ନୃତ୍ୟ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ସେହିଭଳି ୧୫ ତାରିଖରେ ନୂଆଖାଇ ଉତ୍ସବ ପଡୁଥିବାରୁ ଉକ୍ତ ଦିନ ହନୁମାନ ବାଟିକା ପରିସରରେ ଥିବା ମା’ ସମଲେଇ ମନ୍ଦିର ପ୍ରାଙ୍ଗଣରେ ସକାଳ ସାଢେ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବ । ଉକ୍ତ ଦିନ ମନ୍ଦିରର ମୁଖ୍ୟ ପୂଜକ ଶରତ ମିଶ୍ରଙ୍କ ତତ୍ତ୍ୱାବଧାନରେ ମା’ ସମଲେଇଙ୍କ ଶୋଡଷ ଉପଚାର ପୂଜା ସାଙ୍ଗକୁ ନବାନ୍ନ ଭୋଗ ଓ ସାମୂହିକ ପ୍ରସାଦ ବିତରଣ କରାଯିବ । ସେହିଭଳି ୧୭ ତାରିଖରେ ମା’ଙ୍କୁ ଏକ ପାଲିଙ୍କିରେ ସୁସଜ୍ଜିତ କରାଯାଇ ସେକ୍ଟର-୫ ସ୍ଥିତ ପେଟ୍ରୋଲ ପମ୍ପ ନିକଟରୁ ଭଞ୍ଜଭବନ ପର୍ଯ୍ୟନ୍ତ ଦୁଲଦୁଲି ବାଜାବଜାଇ ରୋସଣୀ କରାଯାଇ ନଗର ପରିକ୍ରମା କରାଯିବ । ଏଥିରେ ସହରର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିବେ । ପରେ ଭଞ୍ଜଭବନ ପରିସରରେ ପୂର୍ବରୁ ଆୟୋଜିତ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ଉତ୍ସବ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡିଶା ସନେମା ଜଗତର ଷ୍ଟାର ମନୋଜ ମିଶ୍ର, ମମତା ନନ୍ଦ, ଜୟଶ୍ରୀ ସାରଙ୍ଗୀ, କଣ୍ଠଶିଳ୍ପୀ ସ୍ମିତା ପଣ୍ଡା, ମଡେଲ ଶ୍ରଦ୍ଧା ପ୍ରଧାନ ଓ ଅସିମ ପ୍ରଧାନ ପ୍ରମୁଖ ମୁଖ୍ୟ ଆକର୍ଷଣ ରହିବେ ବୋଲି ଶ୍ରୀମତୀ ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଡ୍ରିମଟ୍ରିମ ଫାଉଣ୍ଡେସନର ସଭାପତି ଅମୀୟ ଦାସ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁପମା ହରିଚନ୍ଦନ, ପୂର୍ଣ୍ଣିମା ମହାନ୍ତି, ସୁଦୀପ୍ତା ଜେନା, ସର୍ବେଶ୍ୱର ବିନ୍ଧାଣୀ, ଆଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସଦସ୍ୟା ମୀନତି ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ମରଣିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.