jayashree

ଟିଟିଲାଗଡ ରେଳବାଇ ରନିଙ୍ଗ୍‌ ରୁମ୍‌ ନିକଟରେ ଚାଲି ଆସିଛି ଗୋଟିଏ ଛୁଆ ହାତୀ : ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ବନ ବିଭାଗ ଓ ପୋଲିସ କର୍ମଚାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ମାଲଗୋଦାମପଡ଼ା ନିକଟସ୍ଥ ରେଳବାଇ ରନିଙ୍ଗ ରୁମ୍‌ ନିକଟରେ ଗୋଟିଏ ଛୋଟ ହାତୀ ରେଳ ଲାଇନ କଡ଼ରେ ରହିଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ରେଳୱେ ରନିଙ୍ଗ ରୁମ୍‌, ରେଳୱେ ବିଭାଗ ସହାୟକ ଦୂର ସଂଚାର ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ହାତୀ ରହିଥିବା ବେଳେ ବର୍ତ୍ତମାନ ରେଳ ଧାରଣା ନିକଟରେ ରହିଥିବା ବୁଦାମୂଳ ଭିତରେ ପଶିଯାଇଛି । ଘଟଣାସ୍ଥଳରେ ଟିଟିଲାଗଡ଼ ବନ ବିଭାଗ, ଟିଟିଲାଗଡ଼ ପୋଲିସ ବିଭାଗ, ଆରପିଏଫ୍‌, ଜିଆର୍‌ପି ବିଭାଗ, ବନବିଭାଗର ସ୍ୱତନ୍ତ୍ର ହାତୀ ଉଦ୍ଧାରକାରୀ ଟିମ ପହଂଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଏକ ହାତୀପଲ ଟିଟିଲାଗଡ଼ ସହର ନିକଟସ୍ଥ ବୁର୍ଡିପଡା ଗାଁ ଜଙ୍ଗଲରେ ରହିଥିବା ବେଳେ ଉକ୍ତ ହାତୀପଲ ଭିତରୁ ଗୋଟିଏ ହାତୀ ଗୋଷ୍ଠୀରୁ ଅଲଗା ହୋଇ ଟିଟିଲାଗଡ଼ ସହରକୁ ପ୍ରବେଶ କରିଛି । ହାତୀଟି ସାମାନ୍ୟ ଛୋଟ ରହିଥିବା ଦେଖିବାକୁ ମିଳିଛି । ତେବେ ହାତୀକୁ ଘଉଡ଼ାଇବାକୁ ଯାଇ ଟିଟିଲାଗଡ଼ ସହର ସର୍ଗିଗୁଡାର ସୁଧୀର ସାହୁ ସାମାନ୍ୟ ଆହତ ହୋଇ ଅଳ୍ପକେ ଜୀବନ ବଞ୍ଚିଯାଇଛି । ସ୍ଥାନୀୟ ଯୁବକ ହାତୀ କବଳରୁ ଯୁବକକୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସାପାଇଁ ପଠାଯାଇଛି । ବନବିଭାଗର କହିବା କଥା ଯେ, ଲୋକେ ହାତୀକୁ ଘଉଡ଼ାଇବା ପାଇଁ ଯାଇଥିଲେ, ବନ ବିଭାଗ ମନା କରିବା ସତ୍ତ୍ୱେ ଯୁବକ ଜଣକ ଯାଇଥିବା ଯୋଗୁଁ ଏଭଳି ଘଟଣା ଘଟିଛି । ତେବେ ଲୋକେ ସଚେତନ ହେବା ସହ ହାତୀ ପାଖକୁ ନ ଯିବା ପାଇଁ ବିଭାଗୀୟ ଅଧିକାରୀ ମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.