
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାରସ୍ଵତ ଚେତନାର ବାର୍ତ୍ତାବହ ସାହିତ୍ୟ ସଂସ୍କୃତି, ଟିଟିଲାଗଡ଼ ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟା ସମୟରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସଭାପତି ଜ୍ୟୋତି ପ୍ରକାଶ ଗଡତିଆଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ଓ କଳାକାର ଜଗଦାନନ୍ଦ ଛୁରିଆ, ମୁଖ୍ୟବକ୍ତା ଭାବେ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଓଡ଼ିଆ ବିଭାଗ, ବଲାଙ୍ଗିର ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ କୁମାର ବାରିକ ଯୋଗଦାନ କରିଥିଲେ । ପ୍ରଥମେ କବି ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ତା’ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଜୟନ୍ତୀ ଉତ୍ସବରେ ଉପସ୍ଥିତ ସଦସ୍ୟମାନେ ସାରସ୍ଵତ ଆନନ୍ଦ ଉପଭୋଗ କରିବା ସହ ପୁସ୍ତକ ଉନ୍ମୋଚନର ସାକ୍ଷୀ ହୋଇ ରହିଥିଲେ । ଏହି ଅବସରରେ ଅଭିନ କିଶୋର ରଥଙ୍କ ପାଞ୍ଚୋଟି ପୁସ୍ତକ ସିଡସ ଅଫ୍ ୱିସ ଡମ୍ ୨/୩/୪, ଜ୍ଞାନର ଗନ୍ତାଘର, ଜ୍ଞାନ ଗର୍ଭା ବାଣୀ, ବିଶ୍ୱରାମ ଠାକୁରଙ୍କ ପ୍ରୀତି ନିର୍ଝର, ରାଜୀବ ଲୋଚନ ପାଢ଼ୀଙ୍କ ଭର୍ସେସ ଫ୍ରମ ଦି ଷ୍ଟେୟର ୱେ ଅଫ ଲାଇଫ, ଜ୍ୟୋତି ପ୍ରକାଶ ଗଡତିଆଙ୍କ କଣ୍ଢେଇ ରାଣୀ, ସେବକ ଚରଣ ଦାସଙ୍କ କହେଲା କଥା ଗୋଟାଏ ଲେଖାଏଁ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସହରର ବରିଷ୍ଠ ନାଗରିକ, କବି, ଲେଖକ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଦୀପାଳି ଆଚାର୍ଯ୍ୟ ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ୮୦ ବର୍ଷ ପୂର୍ତ୍ତି ଅବସରରେ ଭକ୍ତ ପ୍ରସାଦ ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସାହିତ୍ୟ ସଂସ୍କୃତିର ସମ୍ପାଦକ ପ୍ରମୋଦ କୁମାର ପାଲ, ଅଞ୍ଜଳା ପରମଗୁରୁ, ନିହାରିକା ପାତ୍ର, ଯୁଗଳ କିଶୋର ଷଡ଼ଙ୍ଗୀ, ବିରଞ୍ଚି ନାରାୟଣ ଦାସ, ଚିନ୍ତାମଣି ମହାପାତ୍ର, ବନମାଳୀ ଦାସ ଏବଂ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀମତୀ ସଂଯୁକ୍ତା ନାଏକ ।