ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଅନଲାଇନ୍ ପେମେଣ୍ଟ ନାଁରେ ଏକ ଠକେଇ ଘଟଣା ସାମ୍ନାକୁ ଆସିଛି । ସହରର ତିନୋଟି ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନରୁ ସାମଗ୍ରୀ କିଣି ନକଲି ପେମେଣ୍ଟ ସ୍କ୍ରିନସଟ୍ ଦେଖାଇ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବଲାଙ୍ଗିର ଅଞ୍ଚଳର ଜଣେ ବ୍ୟକ୍ତି ଟିଟିଲାଗଡ଼ର ୟୁନିଭର୍ସାଲ ରେଡିଓ ସର୍ଭିସ, ପ୍ରଦୀପ ଦେ କ୍ଲଥ୍ ଷ୍ଟୋର ଏବଂ ପୂଜା ବସ୍ତ୍ରାଳୟରୁ ପ୍ରାୟ ତିନି ହଜାର ଟଙ୍କା ମୂଲ୍ୟର ସାମଗ୍ରୀ କ୍ରୟ କରିଥିଲେ । ପରେ ସେ ଅନଲାଇନ୍ ପେମେଣ୍ଟ କରିଥିବା କହି ଏକ ସ୍କ୍ରିନସଟ୍ ଦେଖାଇଥିଲେ ଏବଂ ନିଜକୁ ଜିଏସ୍ଟି କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ବ୍ୟବସାୟୀଙ୍କ ବିଶ୍ୱାସ ହାସଲ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଦୋକାନୀମାନଙ୍କ ଖାତାକୁ କୌଣସି ଅର୍ଥ ଆସିନଥିବା ଜଣାପଡ଼ିଥିଲା । ଏନେଇ ଯୋଗାଯୋଗ କରିବା ପରେ ସେ ବ୍ୟକ୍ତି ଟଙ୍କା ଦେବାକୁ କହି ସମୟ ଗଡ଼ାଉଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ବିଭିନ୍ନ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ଟିଟିଲାଗଡ଼ ମର୍ଚ୍ଚାଣ୍ଟସ୍ ଆସୋସିଏସନ୍ର ହ୍ୱାଟସ୍ଆପ୍ ଗ୍ରୁପ୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍ ସେୟାର କରାଯାଇଥିଲା । ପରେ ଆସୋସିଏସନ୍ର ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ସମ୍ପାଦକ ଗୋପାଲ ଜୈନ, ଉପ-ସଭାପତି ସଞ୍ଜୟ ସୋନିଙ୍କ ସମେତ ଅନ୍ୟ ସଦସ୍ୟମାନେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଭବିଷ୍ୟତରେ ଏପରି ଠକେଇ ରୋକିବାକୁ ଦାବି କରାଯାଇଛି । ଏହାସହ ବ୍ୟବସାୟୀମାନଙ୍କୁ ସତର୍କ କରି କୁହାଯାଇଛି ଯେ, କେବଳ ପେମେଣ୍ଟ ସ୍କ୍ରିନସଟ୍ ଦେଖି ସାମଗ୍ରୀ ନଦେଇ, ପ୍ରଥମେ ବ୍ୟାଙ୍କ ଖାତା କିମ୍ବା ୟୁପିଆଇ ଆପ୍ରେ ଟଙ୍କା ପହଞ୍ଚିଥିବା ନିଶ୍ଚିତ କରିବା ଆବଶ୍ୟକ ।

