
ଝାରସୁଗୁଡ଼ା : ନାଟକ ଓ ଅଭିନୟ କ୍ଷେତ୍ରରେ ନୂଆ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ବେଲପାହାଡ଼ରେ ଆୟୋଜିତ ହେବାକୁ ଯାଉଛି ୩୦ ଦିନିଆ ପ୍ରଡକ୍ସନ ଓରିଏଣ୍ଟେଡ୍ ଥିଏଟର କର୍ମଶାଳା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି)ର ସହଯୋଗରେ ମିରର୍ ଥିଏଟର ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଉଛି । ଆସନ୍ତା ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଚାଲିବ । ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ମୋଟ ୩୬ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିବେ । ନାଟ୍ୟକଳା ଓ ଅଭିନୟର ବିଭିନ୍ନ ଦିଗ ସମ୍ପର୍କରେ ପ୍ରତିଭାଗୀମାନଙ୍କୁ ତାଲିମ ଦିଆଯିବା ସହ ନାଟକ ପ୍ରସ୍ତୁତିର ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯିବ । କର୍ମଶାଳାର କ୍ୟାମ୍ପ ନିର୍ଦ୍ଦେଶକ ଭାବେ ଏନ୍ଏସ୍ଡିରୁ ଶିକ୍ଷାଲାଭ କରିଥିବା ପ୍ରଖ୍ୟାତ ଅଭିନେତା ମନୀଷ ମିଶ୍ର ଦାୟିତ୍ୱ ତୁଳାଇବେ । ସେହିପରି ସହକାରୀ କ୍ୟାମ୍ପ ନିର୍ଦ୍ଦେଶିକା ଭାବେ ଅଭିନେତ୍ରୀ ୟାମିନୀ ସାହୁ ପ୍ରତିଭାଗୀମାନଙ୍କୁ ମାର୍ଗଦର୍ଶନ କରିବେ । ଏହି କର୍ମଶାଳା ସମ୍ପର୍କରେ ସୂଚନା ଦେବା ପାଇଁ ଶନିବାର ଝାରସୁଗୁଡ଼ାର ହୋଟେଲ ରୁଦ୍ରାକ୍ସ ଇନ୍ଠାରେ ମିରର୍ ଥିଏଟର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ସମେତ ଜେନାମଣି ସେଠ, ସନ୍ତୋଷ ସାହୁ, ସୌଭାଗ୍ୟ ରଞ୍ଜନ ସାହୁ, ମନୋଜ ମେହେର, ବିନୟ ପ୍ରଧାନ, ସୁଜିତ ହରିପାଲ ଓ ଦିବ୍ୟ ରଞ୍ଜନ ସାହୁ ଉପସ୍ଥିତ ରହି କର୍ମଶାଳାର ଉଦ୍ଦେଶ୍ୟ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି କର୍ମଶାଳା ମାଧ୍ୟମରେ ନାଟ୍ୟ ଓ ଅଭିନୟ କ୍ଷେତ୍ରରେ ଆଗ୍ରହୀ ଯୁବ ପ୍ରତିଭାମାନେ ନିଜ ଦକ୍ଷତା ବିକାଶ କରିବା ସହ ନୂଆ ଅନୁଭୂତି ହାସଲ କରିପାରିବେ ବୋଲି ଆଶା ରଖିଛି ମିରର୍ ଥିଏଟର ।