jayashree

ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମରେ ପାର୍ବଣ ଲୋକକଳା ଓ ଲୋକନୃତ୍ୟ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମରେ ପାର୍ବଣ ଲୋକକଳା ଓ ଲୋକନୃତ୍ୟ ମହୋତ୍ସବ । ୧୪ ଅକ୍ଟୋବରୁ ଆରମ୍ଭ ହୋଇ ୨୨ଅକ୍ଟୋବର ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହୋଇସାରିଛି । ୩୬ତମ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଏହି ପାର୍ବଣ ଲୋକକଳା ମହୋତ୍ସବ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ହୋଇଥିଲା । ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ ଆଦି ନୃତ୍ୟ ତଥା ଭଜନ ପରିବେଷିତ ହୋଇଥିବା ବେଳେ ପରେ ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବୀର ଚାଉଁରିଆ ନାଟ୍ୟ ଅନୁଷ୍ଠାନ ଦ୍ଵାରା ସାମ୍ପ୍ରତିକ ପରିସ୍ଥିତିରେ ରାଜତନ୍ତ୍ରକୁ ଆଧାରିତ ଏକ କାଳ୍ପନିକ ନାଟକ ପରିବେଷଣ କରିଥିଲେ । ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଲୋକନୃତ୍ୟ ଦଣ୍ଡ ପରିବେଷିତ ହୋଇଥିଲା । ସୋନପୁର ଜିଲ୍ଲା ବିନିକାରୁ ରିନା କୁମ୍ଭାର ଓ ସାଥି ମା’ ମେଟାକାନୀ ଦଣ୍ଡ କମିଟି ଅତ୍ୟନ୍ତ ଚିତ୍ତାକର୍ଷକ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଏହି ଅବସରରେ ବରିଷ୍ଠ ଲୋକନୃତ୍ୟ କଳାକାର ଯୋଗେଶ୍ୱର ପାତ୍ର ଏବଂ ଅରକ୍ଷିତ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ତୃତୀୟ ସନ୍ଧ୍ୟାରେ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ କୁଡାସିଂହାର କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା । ଅକ୍ଟୋବର ୧୮ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ହଟିଆପଲ୍ଲି ନୟାଗଡ଼ର ମହିଷାସୁରୀ ରାମ ନାଟ୍ୟ ସଂସଦ ତରଫରୁ ରାମଲୀଳା ପରିବେଷଣ ହୋଇଥିଲା । ଅକ୍ଟୋବର ୨୧ତାରିଖ ଶେଷ ସାଂସ୍କୃତିକ ସନ୍ଧ୍ୟାରେ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ କୁଡାସିଂହା ତରଫରୁ ଏକ ଲୋକନୃତ୍ୟ ଲୋକଗୀତ କାର୍ଯ୍ୟକ୍ରମ ପରେ ଏକ ସାମାଜିକ ନାଟକ ପରିବେଷଣ ହେବା ସହ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପ୍ରଭାକର ସାହୁ, ବରିଷ୍ଠ ମଞ୍ଚ କଳାକାର ଜୟ ଗୋପାଳ ସାହୁ ଏବଂ ପଞ୍ଚମ ସଂଗୀତ ମହାବିଦ୍ୟାଳୟର ଗୁରୁଶ୍ରୀ ମୂରଲୀଧର ପତି ଏବଂ ଗୁରୁଶ୍ରୀ ଗୌର କିଶୋର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାର ଆୟୋଜକ କମିଟିର ସଭାପତି ହରେକୃଷ୍ଣ ସାହୁ ପ୍ରକାଶ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ ଅତିଥି ଭାବେ ଯୋଗଦେଇଥିଲେ ବିରଞ୍ଚି ପଧାନ, ପ୍ରକାଶ ସାହୁ, ରାଧେଶ୍ୟାମ ପଥାଲ, ରବିନ୍ଦ୍ର ସାହୁ, ଶିଶୁପାଳ ସାହୁ, କୁବେର ସାହୁ, ରମେଶ ସାହୁ, ପ୍ରଦୀପ ସାହୁ, ବିଜୟ ସାହୁ, ବାସୁଦେବ ନାଥ, ଗଙ୍ଗାଧର ସାହୁ, ସୁରେଶ ସାହୁ, ସଞ୍ଜୟ ମାଝୀ, ମନୋଜ ଝାଙ୍କର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଗ୍ରାମାଞ୍ଚଳରେ ଏଭଳି ଏକ ମହୋତ୍ସବ ଆୟୋଜିତ ହେବାଫଳରେ ଲୋକମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ମିଳିବା ସହ ମନୋରଞ୍ଜନ ମାଧ୍ୟମରେ ଭାଇଚାରାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ପାରୁଛି ।

Leave A Reply

Your email address will not be published.