jayashree

ସାଉନ୍ତପୁରରେ ମା’ ସାଉନ୍ତେଶ୍ୱରୀଙ୍କ ବଏଲ ଯାତ୍ରା ସମାପନ : ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭକ୍ତି ଓ ଆସ୍ଥାର ମାହୋଲରେ ସମାପନ ହୋଇଛି ମା’ ସାଉନ୍ତେଶ୍ୱରୀ ଦେବୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମରେ ଆୟୋଜିତ ଏହି ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ । ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ଭୋଗ, ନଡ଼ିଆ ଓ ବଳି ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଯୁବନେତା ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କ ସମେତ ଜୟକୃଷ୍ଣ ମିଶ୍ର, ବ୍ୟାସଦେବ ପୁରୋହିତ ଓ ମନୋଜ କୁମାର ସାହୁ ପ୍ରମୁଖ ମା’ଙ୍କ ଦର୍ଶନ କରିଥିଲେ । ମା’ ସାଉନ୍ତେଶ୍ୱରୀଙ୍କ ମନ୍ଦିର ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ମଣିକ ବେହେରା ଓ ରାଜା ବେହେରା ପୂଜାକାର୍ଯ୍ୟ ତୁଳାଇଥିଲେ । କାର୍ତ୍ତିକ ଥନାପତିଙ୍କ ସମେତ ସେବକମାନଙ୍କ ନେତୃତ୍ୱରେ ମହାଆଳତି ଓ ବଏଲ ଯାତ୍ରାର ସମାପନ ହୋଇଥିଲା । ଧାର୍ମିକ ପରମ୍ପରା ଓ ଜନସମାଗମ ମଧ୍ୟରେ ମା’ଙ୍କ ଏହି ବଏଲ ଯାତ୍ରା ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ଆଧ୍ୟାତ୍ମିକତାର ଭାବନା ଭରିଦେଇଥିଲା ।

Leave A Reply

Your email address will not be published.