ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଟାଉନସିପ୍ ମଧ୍ୟରେ ଇସ୍ପାତ ମାର୍କେଟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ମାର୍କେଟରେ ପ୍ରାୟ ୬୦୦ରୁ ଅଧିକ ଦୋକାନୀ ଭାଇ ସ୍ଥାୟୀ ଭାବେ ନିଜ ଜୀବିକା ନିର୍ବାହ କରୁଥିବା ବେଳେ କିଛି ଉଠା ଦୋକାନୀଙ୍କୁ ସ୍ଥାୟୀ କରାଯାଇଥିଲା । ତେବେ ସେଥିମଧ୍ୟରୁ ପ୍ରାୟ ୩୫ଟିରୁ ଅଧିକ ଦୋକାନ ସ୍ଥାୟୀ କରିବା ପାଇଁ ବାରମ୍ବାର ଦାବି କରାଯାଇଥିଲା । ଦୀର୍ଘ ୨୫ ବର୍ଷ ର ଉଦ୍ୟମ ପରେ ପ୍ରାକ୍ତନ ମାର୍କେଟ କମିଟିର ସଭାପତି ଶଙ୍କର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳଙ୍କ ନିରନ୍ତର ପ୍ରୟାସ ଫଳରେ ଆଜି ଆର୍ଏସ୍ପି କର୍ତ୍ତୃପକ୍ଷ ଉକ୍ତ ଦୋକାନ ଗୁଡ଼ିକୁ ସ୍ଥାୟୀତ୍ୱ କରି ସ୍ୱୀକୃତି ପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରାକ୍ତନ ସଭାପତି ଶ୍ରୀ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ ଜି କାନେକର ଓ ସଞ୍ଜୀବ ବେହେରାଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ପ୍ରତିନିଧି ଦଳରେ ମୁରଲୀଧର ମିଶ୍ର, ଭଗବାନ ବିଶ୍ୱାଳ, ଚୁନିଲାଲ ଭୌମିକ, ଅଶୋକ ଦାଶ, ନନ୍ଦଳାଲ ଦତ୍ତ, ମନୋଜ ଦଳାଇ, ହରିହର ଦଳାଇ, ରମେଶ ପାତ୍ର, ମଙ୍ଗୁଳି ବେହେରା, ବିନୋଦ ଚୌଧୁରୀ ପ୍ରମୁଖ ଦୋକାନୀ ଭାଇମାନେ ଉପସ୍ଥିତ ଥିଲେ ।
