- ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାରେ ଝୁମିଲେ ଶ୍ରଦ୍ଧାଳୁ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗୁଣ୍ଡିଚା ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ ମହାପୁଣ୍ୟ ଓ ଫଳ ପ୍ରାପ୍ତି ଅଟେ । ସେପଟେ ଦିନସାରା ଝିପଝିପି ବର୍ଷା ସତ୍ୱେ ମହାପ୍ରଭୁଙ୍କ ଦିବ୍ୟ ଲୀଳାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରଥଯାତ୍ରା କମିଟି ଓ ପୋଲିସ୍ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି । ଏହି ଅବସରରେ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଧନେଶ୍ଵର ଦାଶଙ୍କ ନିର୍ଦ୍ଦେଶନାରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଧନେଶ୍ଵର ଦାଶ ଟ୍ରୁପ କଳାକାରଙ୍କ ଦ୍ୱାରା ଭଜନ ସଙ୍ଗୀତ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିଦ୍ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ ପୁରୋହିତ, ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରି ଆୟୋଜକ ଓ କଳାକାରଙ୍କୁ ପ୍ରଶଂସା କରିଥିଲେ । ପ୍ରଭୁଙ୍କ କୃଷ୍ଣ ତଥା କାଳୀୟ ଦଳନ ଓ ବଳରାମ ବେଶ ଦର୍ଶନ ଓ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା କଳାକାରଙ୍କ ସଙ୍ଗୀତ ଉପଭୋଗ ପାଇଁ ଭକ୍ତ ଶ୍ରଦ୍ଧାଳୁ ଓ ଶ୍ରୋତାଙ୍କ ଭିଡ଼ ଲାଗି ରହିଥିଲା । ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଧନେଶ୍ଵର ଦାଶ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମଦନ ସୁନ୍ଦର ଖେତି ସଭା ସଂଯୋଜନା କରିଥିଲେ । କମିଟି ସଭାପତି ମିଲନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାମେଶ୍ୱର ଦାଶ, ଧନେଶ୍ଵର ଦାଶ, ଗଗନ ବାଗ, ନିରୋଜ ପଟ୍ଟନାୟକ ଓ ଜ୍ୟୋତିର୍ମୟୀ ବିଶି ପ୍ରମୁଖ ବିଶିଷ୍ଟ କଳାକାର ମାନେ ସୁମଧୁର ଭଜନ ସଙ୍ଗୀତ ଗାନ କରି ଦର୍ଶକଙ୍କ ମନ ମୋହିଥିଲେ । ଭୁବନେଶ୍ୱର ଦାଶ ଗ୍ରୁପ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ । ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ, “ଜୀବନର ଶେଷ ଗୀତ ରାମ ନାମ ସତ୍ୟ” ଓ “ମିଛ ଦୁନିଆରେ ଗୋଟିଏ ସତ ଜଗନ୍ନାଥ ହେ ଜଗନ୍ନାଥ” ଓ “ଗୋପ ନଗରୀ ରୁ ଚିଠି ଆସିଛି” ଭଜନ ସଙ୍ଗୀତ ଦର୍ଶକଙ୍କ ପାଇଁ ଖୁବ୍ ମନଛୁଆଁ ଥିଲା । ମୁଖ୍ୟ ଅତିଥିଙ୍କ ଦ୍ଵାରା ଏହି ଶ୍ରୀ କ୍ଷେତ୍ର ଭଜନ ସନ୍ଧ୍ୟା ଧନେଶ୍ଵର ଦାଶ, ରାମେଶ୍ୱର ଦାଶ ଓ ଭୁବନେଶ୍ୱର ଦାଶ ଭଜନ ସନ୍ଧ୍ୟା ଟ୍ରୁପ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଗୁଣ୍ଡିଚା ଯାତ୍ରା ମହୋତ୍ସବ କମିଟି ସଭାପତି ମିଲନ ମିଶ୍ର, ସଂପାଦକ ସିଦ୍ଧାର୍ଥ ମିଶ୍ର, ସକ୍ରିୟ ସଦସ୍ୟ ବିଶ୍ୱଜିତ୍ ମିଶ୍ର, ରାଜ କିଶୋର ତ୍ରିପାଠୀ, ବିବେକାନନ୍ଦ ମିଶ୍ର, ଗଙ୍ଗା ତରିଆ, ବେଣୁ ନାଏକ୍, ଅଭିନବ ମହାପାତ୍ର, ନାରାୟଣ ଦତ୍ତ ପାଣ୍ଡେ ପ୍ରମୁଖ ସମସ୍ତ ସଦସ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ବୃନ୍ଦାବନ ମନ୍ଦିରରେ ପ୍ରଭୁ ଜଗନ୍ନାଥ କାଳୀୟ ଦଳନ ଅବତାରରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡାଠାରେ କୃଷ୍ଣ ଓ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ କରୁଛନ୍ତି ।
