
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭକ୍ତବତ୍ସଳା ଲୀଳାମୟୀ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇଆସୁଅଛି । ଚଳିତ ୫ ତାରିଖରେ ଛତ୍ରପୁର ଠାକୁରାଣୀ ଯାତ୍ରା ଉଦ୍ଯାପିତ ହେବ ବୋଲି ଯାତ୍ରା କମିଟିର ମ୍ୟାନେଜର୍ ସି.ଏଚ୍. ଦୟାନନ୍ଦ ରେଡ୍ଡୀ କହିଛନ୍ତି । ତେଣୁ ବର୍ଣ୍ଣାଢ଼୍ୟ ଉତ୍ସବ ସହ ବିବିଧ ନାଟ୍ୟ ପ୍ରଦର୍ଶନର ସମାରୋହରେ ପଟୁଆରରେ ସହର ଉଚ୍ଛୁଳି ପଡୁଛି । ଦୈନିକ ଦେବୀଙ୍କ ଘଟଯାତ୍ରା ଶୋଭାଯାତ୍ରାରେ ଖୁବ୍ ସମାଗମ ହେବାରେ ଲାଗିଛି । ଛତ୍ରପୁର ପୌରାଞ୍ଚଳର ମୁଖ୍ୟ ବଜାର ଉପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣରେ ଯୁବପୀଢ଼ିଙ୍କୁ ବିମୋହିତ କରିଛି । ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ, କଳାକୁଞ୍ଜ ଭରା ରଥମେଢ଼ ସହ ଦୈନିକ ସନ୍ଧ୍ୟାରେ ନଗର ପରିଭ୍ରମଣ ମାଧ୍ୟମରେ ଦେବୀଙ୍କ ଘଟଯାତ୍ରା ଖୁବ୍ ଆକର୍ଷଣୀୟ କରିଦେଇଛି । ଶନିବାର ସନ୍ଧ୍ୟାରେ ଛତ୍ରପୁର ସହରର ଜଣେ ପ୍ରତିଷ୍ଠିତ ସମାଜସେବୀ ଟି. ଚନ୍ଦ୍ର ଶେଖର ରାଓ ଏବଂ ପ୍ରାକ୍ତନ ପୌର ଅଧ୍ୟକ୍ଷା ଶ୍ରୀମତୀ ଟି. ଲକ୍ଷ୍ମୀଙ୍କ ବାସଭବନ ଅଭିମୁଖେ ମା’ ରାମାୟାଣାମ୍ମା ଠାକୁରାଣୀ ଆଗମନ କରିଛନ୍ତି । ତେଣୁ ପୁରୁଣା ପୋଲିସ୍ ଲାଇନ୍, ବାରାକ୍ ସାହି, ଲାୟନ୍ସ କ୍ଲବ, ଗୌରୀ ଶଙ୍କର ମନ୍ଦିର ଅଭିମୁଖେ ଠାକୁରାଣୀଙ୍କ ଯାତ୍ରା ଖୁବ୍ ନିଆରା ପରମ୍ପରାର ସହ ଉତ୍ସବ ମୁଖର ହୋଇଉଠିଥିଲା । ଭୋର୍ ସାଢ଼େ ୪ ଘଣ୍ଟା ସମୟରେ ଦେବୀଙ୍କ ପ୍ରତ୍ୟାଗମନ ମା’ ଆଡ଼ପ ମଣ୍ଡପରେ ପହଞ୍ଚି ସାମୟିକ ବିଶ୍ରାମ ନେଇଥିଲେ ।