jayashree

ସିପିଆଇଏମ୍‌ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ପଲିଟବ୍ୟୁରୋ ସଦସ୍ୟ କମ୍ରେଡ୍ ପିନାରାୟୀ ବିଜୟନ ବାସଭବନ ଉପରେ ଇଡି ଲଗାଇ ରେଡ୍ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସିପିଆଇଏମ୍ ଅଭିଯୋଗ କରିବା ସହିତ ଆଜି ପାର୍ଟି ପକ୍ଷରୁ ଦେଶ ତମାମ ମୋଦି ସରକାରଙ୍କ ଏପରି ହୀନ ରାଜନୀତି ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା ବେଳେ ପାର୍ଟିର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ଉଦିତନଗର ସ୍ଥିତ ଆମ୍ବେଦକର ଛକ ଠାରେ ବିଶାଳ ବିକ୍ଷୋଭ ଓ ରାସ୍ତା ଅବରୋଧ କରି ପାର୍ଟିର ଶତାଧିକ କର୍ମୀ ଆଇନ୍ ଅମାନ୍ୟ ଆନ୍ଦୋଳନ ସଂଗଠିତ କରିଥିଲେ । ପାର୍ଟିର ଛବି ଓ ନେତା ମାନଙ୍କ ଚେହେରାକୁ ମଳିନ କରିବା ପାଇଁ ଏହା କେନ୍ଦ୍ର ବିଜେପି ସରକାରଙ୍କ ଏକ ଷଡ଼ଯନ୍ତ୍ର । କେରଳରେ ଦଶବର୍ଷ ଧରି ଲଗାତାର ମୁଖ୍ୟମନ୍ତ୍ରୀ ଥିବା ପିନାରାୟୀ ବିଜୟନ ତାଙ୍କ ଶାସନ ସମୟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ସମଗ୍ର ଦେଶରେ ପ୍ରଶଂସିତ ହୋଇଥିଲା ବେଳେ ଖୋଦ୍ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏଥିରେ ମୋହର ମାରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ନିର୍ବାଚନରେ ସିପିଆଇଏମ୍ ସରକାର ଯିବାର ଏକ ମାସ ନ ହେଉଣୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଇଡି ଲଗାଇ ଚଢ଼ାଉ କରିବା ଓ ସେଠାରୁ କିଛି ନ ପାଇ ଖାଲି ହାତରେ ଫେରିବା ଓ ସାଧାରଣ ଲୋକଙ୍କ ପ୍ରତିବାଦର ସମ୍ମୁଖୀନ ହେବା ବିଜୟନ ସଚ୍ଚୋଟତାର ପରିଚୟ ପ୍ରଦାନ କରିଛି ବୋଲି ବିକ୍ଷୋଭରେ ନେତାମାନେ ମତବ୍ୟକ୍ତ କରିଛନ୍ତି । ଆଜି ସିପିଆଇଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ପ୍ରଭାତ ପଣ୍ଡା, ରାଜ୍ୟ କମିଟି ସଦସ୍ୟା ସୁଶିଳା ମୁଣ୍ଡା, ଜିଲ୍ଲା କମିଟି ସଦସ୍ୟ ହୃଦୟାନନ୍ଦ ଯାଦବ, ବି ପି ମହାପାତ୍ର, ବସନ୍ତ ନାୟକ, ଆନନ୍ଦମାସି ହରୋ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାର ଇଡି, ସିବିଆଇ ଭଳି ସାମ୍ବିଧାନିକ ସଂସ୍ଥାକୁ ନିଜର ହାତ ବାରିସି କରି ବିରୋଧୀଙ୍କୁ ଦମନ କରିବା ନୀତିକୁ ତୀବ୍ର ବିରୋଧ କରିଥିଲେ । ଏହି ଦାବି ସହିତ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବାକୁ ଦଳ ଦାବି ରଖିଥିବା ନେତାମାନେ କହିଥିଲେ । ପେଟ୍ରୋଲ ଓ ଡିଜେଲ ଦର ନିକଟରେ ପ୍ରାୟ ୮ ଟଙ୍କାରୁ ଅଧିକ ବୃଦ୍ଧି ପାଇଥିଲା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବା, ଓଡ଼ିଶାର ଡବଲ ଇଞ୍ଜିନ ସରକାର ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଦୁଇ ମାସ ଧରି ବନ୍ଦ ରଖିଥିବା ବେଳେ ଏହାକୁ ତୁରନ୍ତ ପ୍ରଦାନ କରିବା, ରାଉରକେଲାରେ କାଳବୈଶାଖୀ ବର୍ଷା ଓ ଝଡ଼ତୋଫାନରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ସରକାରୀ କ୍ଷତିପୂରଣ ଓ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଦାବିରେ ଆଜିର ଏହି ବିକ୍ଷୋଭ ଓ ଆଇନ ଅମାନ୍ୟ ଆନ୍ଦୋଳନ ସଂଗଠିତ କରାଯାଇଥିଲା ବୋଲି ପାର୍ଟି ପକ୍ଷରୁ ପ୍ରେସ ବିବୃତିରେ କୁହାଯାଇଛି । ରାଉରକେଲା ମୁଖ୍ୟରାସ୍ତା ଅବରୋଧ କରିବାରୁ ପୋଲିସ ସମସ୍ତ ଆନ୍ଦୋଳନକାରୀ ମାନଙ୍କୁ ଗିରଫ ଘୋଷଣା କରି ପରେ ଛାଡିଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପାର୍ଟି ନେତା ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ଯଯାତି କେଶରୀ ସାହୁ, ଚନ୍ଦ୍ରଭାନୁ ଦାସ, ଏନ୍ ଏନ୍ ପାଣିଗ୍ରାହୀ, ଅରିନ୍ଦମ୍ ଦତ୍ତ, ସୁରେନ୍ଦ୍ର ମହାନ୍ତି, ପ୍ରଦୀପ ସେଠୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ଅଜିତ ଏକ୍କା, ସୁଧାଂଶୁ ଜେନା, ସମ୍ବିତ ସ୍ୱାଇଁ, ଅନାଦି ସାହୁ, ବିନୟ ବେହୁରିଆ, ଅଶୋକ ଦାସ, ବୁଧନୀ ମୁଣ୍ଡାରୀ, ରଜତ ମୁଣ୍ଡା, କବି ପ୍ରଧାନ, ବସନ୍ତ ପାଢ଼ୀ, ସରୋଜ ବାର୍ଲା, ସାଗର ଛୋଟରାୟ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.