jayashree

କାଳ ବୈଶାଖୀ ତାଣ୍ଡବ : ୪୮ ଘଣ୍ଟା ପରେ ମଧ୍ୟ ସ୍ଥିତି ସ୍ଵାଭାବିକ ହୋଇନାହିଁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା । ସୋନପୁର ସହରକୁ ଗ୍ରାସ କଲା କାଳ ବୈଶାଖୀ । ଚାହୁଁ ଚାହୁଁ କିଛି ସମୟ ଭିତରେ ସବୁ ହୋଇଗଲା ଓଲଟ ପାଲଟ । ଭାଙ୍ଗିଲା ଶହ ଶହ ଗଛ, ଉଡ଼ିଲା ବାଇକ୍, ଟିଣ ଛାତ, ଭାଙ୍ଗିଗଲା ଶହ ଶହ ଲାଇଟ୍ ପୋଲ । କାଳ ବୈଶାଖୀ ହେବାର ଦୁଇ ରାତି ବିତି ଯାଇଥିଲେ ହେଁ ସୁଧୁରିନି ସହରର ଅବସ୍ଥା । ଏବେ ବି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ଥିବାବେଳେ ପାନୀୟ ଜଳ ବି ଯୋଗାଣ ହୋଇ ପାରି ନାହିଁ । ଜିଲ୍ଲା ପ୍ରଶାସନ ତଥା ଅଗ୍ନିଶମ ବାହିନୀ ଓ ଟାଟା ପାୱାରର ଶହ ଶହ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ସ୍ଥିତି ସ୍ଵାଭାବିକ ହୋଇନାହିଁ । ଗତକାଲି ସନ୍ଧ୍ୟାବେଳେ ଜିଲ୍ଲାପାଳଙ୍କ ଅଫିସରେ ସମସ୍ୟାର ଜରୁରୀ କାଳୀନ ଭିତ୍ତିରେ ସମାଧାନ କରିବା ପାଇଁ ବୈଠକ ବସିଥିଲା ବେଳେ ଆଜି ଦିନ ସାରା ଖୋଦ୍ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ, ପୌର ପରିଷଦ ନିର୍ବାହୀ ଅଧିକାରୀ ଋଷି ମାଝୀ, ଫାୟାର ଅଫିସର ଭବେନ୍ଦ୍ର ଦେ ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଯାଇ ତଦାରଖ କରୁଥିବା ଦେଖାଯାଇଥିଲା । ସ୍ଥିତିର ସମୀକ୍ଷା କରିଥିବାବେଳେ ଯଥା ଶିଘ୍ର କାର୍ଯ୍ୟ ଶେଷ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ଏବେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ୪୮ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରୁଥିବା ଅଗ୍ନିଶମ ବାହିନୀ ଏବଂ ଟାଟା ପାୱାରର କର୍ମଚାରୀଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରୁଛନ୍ତି ଜନସାଧାରଣ । ସେପଟେ ପାନୀୟ ଜଳ ମଧ୍ୟ ତୁରନ୍ତ ଯୋଗାଣ ହୋଇଥିବାରୁ ବିଭାଗକୁ ପ୍ରଶଂସା କରିଛନ୍ତି ଜନସାଧାରଣ ।

Leave A Reply

Your email address will not be published.