
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶାରେ ୧୩୪ ନମ୍ବର ରେଙ୍କରେ କୃତକାର୍ଯ୍ୟ ହୋଇଥିବା ତଥା ବିନା କୋଚିଂରେ ସଫଳତା ପାଇଥିବା ସୋନପୁର ସହରର ସୁଶ୍ରୀ ଶୀତଲ କୁଶଳଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହୋଟେଲ ମୁନ କନଫରେନ୍ସ ହଲ୍ ଠାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଓଏଏସ୍ ଅଫିସର ଶରତ ସେଠି, ସମ୍ମାନିତ ଅତିଥି ଭାବରେ ଡ଼. ସନ୍ତୋଷ ପାଢ଼ୀ, ଡ. ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା ଯୋଗଦେଇ ଓଏଏସ୍ କୃତିଛାତ୍ରୀ ଶୀତଲକୁ ସମ୍ବର୍ଦ୍ଧନା ଜ୍ଞାପନ କରି ସଫଳତା କାମନା କରିଥିଲେ । ଓଏଏସ୍ କେବଳ ଗୋଟିଏ ପରୀକ୍ଷା ନୁହେଁ ଜୀବନରେ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ବୋଲି ଅତିଥିମାନେ କହିଥିଲେ । ଏହି ସମ୍ବର୍ଦ୍ଧନା ତୁମକୁ ନିଷ୍ଠା, ଧର୍ଯ୍ୟ ଓ ପରାକାଷ୍ଠ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସହାୟକ ହେବ ବୋଲି କହିଥିଲେ । ଯେତେ ଉଚ୍ଚ ପଦବୀରେ ରହିଲେ ମଧ୍ୟ ପିତାମାତା ନିଜର ମାଟି ମାତୃଭୂମିକୁ କେବେ ବି ଅଣଦେଖା ନ କରିବାକୁ ଅତିଥିମାନେ ପରାମର୍ଶ କରିଥିଲେ । ଶୀତଲ ନିଜର ଅଭିଜ୍ଞତା ପ୍ରକାଶ କରି ତଳସ୍ତରର ଲୋକ ଓ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଉତ୍ତମ ସେବା ପ୍ରଦାନ କରିବି ଓ ସୋନପୁର ମାଟିର ତଥା ଓଡ଼ିଶାର ସୁନାମ ଅର୍ଜନ କରିବି ବୋଲି କହିଥିଲେ । ଶୀତଲ ଭୁବନେଶ୍ୱରରୁ ସୋନପୁର ଫେରିବା ପରେ ବସଷ୍ଟାଣ୍ଡରୁ ସୁରେଶ୍ଵରୀ ମନ୍ଦିର ଯାଏ ଓ ପରେ ନିଜ ବାସ ଭବନ ଯାଏଁ ଏକ ଭବ୍ୟ ସ୍ୱାଗତ କରି ଶୀତଲକୁ ଶହ ଶହ ଶୁଭେଚ୍ଛୁ ପାଛୋଟି ନେଇଥିଲେ । ଶୀତଲ ସୋନପୁର ପହଞ୍ଚିଲା ପରେ ପ୍ରଥମେ ମା’ ସୁରେଶ୍ଵରୀଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଶୀତଲଙ୍କ ପିତା ଅଭିମନ୍ୟୁ କୁଶଳ ଓ ଭଉଣୀ କାଜଲ ଏହି ସଫଳତା ଉପରେ ନିଜ ନିଜର ଅନୁଭୂତି ପ୍ରକାଶ କରି ମା’ ସୁରେଶ୍ଵରୀଙ୍କ ଠାରେ ସୋନପୁର ବାସୀଙ୍କ ଠାରେ କୃତଜ୍ଞ ବୋଲି କହିଥିଲେ । ସମ୍ବର୍ଦ୍ଧନା ସଭାକୁ ପ୍ରାଧ୍ୟାପକ ମଦନ ସୁନ୍ଦର ଖେତି ଓ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠି ସଂଯୋଜନା କରିଥିବା ବେଳେ ଅଧ୍ୟାପକ କ୍ଷୀରୋଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଓକିଲ ସଂଘ, ଶ୍ରୀଗୋପାଳଜୀ ଯୋଗାଳୟ, ଭାରତ ବିକାଶ ପରିଷଦ, ବରିଷ୍ଠ ନାଗରିକ ସଂଘ, ସ୍ୱଚ୍ଛ ଭାରତ ସଙ୍ଗଠନ, ଓଡ଼ିଶା ସାମ୍ୱାଦିକ ସଂଘ, ବିଗୁଲ ଟିଭି, ପଏଁରୀ, ହୋଟେଲ ମୁନ, ମହାନଦୀ ସାହିତ୍ୟ ସଂସଦ, ଏମ୍ପ୍ଲୋଇଜ ଆସୋସିଏସନ୍ ଏସ୍ସି ଏସ୍ଟି ସେଲ, ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ୍, ମହାନଦୀ ଧାରା, କୋଶଳ ଆବାସିକ ବିଦ୍ୟାଳୟ, ଦିବ୍ୟଉର୍ଯ୍ୟା ଯୋଗ ସମିତି, ରାମଧୂନ୍ କ୍ଲବ୍, ଜିଲ୍ଲା କ୍ରୀଡାସଂଘ, ଇଶାନି ଇନଷ୍ଟିଚିୟୁଟ ଅଫ ଲର୍ନିଙ୍ଗ, ଶ୍ରମିକ ସଂଗଠନ, ୧୯୯୪ ସୋନପୁର କଲେଜ୍ ବ୍ୟାଚ, ତେନ୍ତୁଳି ଘାଟ ଭାଗବତ ପାଠାଗାର, ବୁଢୀମା କ୍ଲବ୍, ଠିକାଦାର ସଂଘ, ଡ୍ରାଇଭର ସଂଘ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପ୍ରମୁଖ ସଙ୍ଗଠନ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସୁଶ୍ରୀ କୁଶଲଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।