ପ୍ରେମ ସମ୍ପର୍କକୁ ନେଇ ସଂଘର୍ଷ : ୫ ଆହତ, ୨ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଥାନା ପେଣ୍ଡିମୁଣ୍ଡା ଗାଁରେ ପ୍ରେମ ସମ୍ପର୍କକୁ ନେଇ ଗୋଷ୍ଠୀ ସଂଘର୍ଷ ହେବାରୁ ୫ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ରାତିରେ ପେନ୍ଦିମୁଣ୍ଡା ଗାଁର ସୁବୋଧ ରଣାଙ୍କ ସହ ରାମଚନ୍ଦ୍ରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶ୍ରୀରଣା ବର୍ଷେତଳେ ଏହି ଗାଁର ଏକ ପ୍ରେମୀଯୁଗଳ ଫେରାର ହେବାରେ ସହଯୋଗ କରିଥିଲେ ବୋଲି ରାମଚନ୍ଦ୍ରଙ୍କ ପରିବାର ସନ୍ଦେହ କରୁଥିଲେ । ଏନେଇ ଗତ ଗୁରୁବାର ରାତିରେ ସୁବୋଧ କଲାହାଣ୍ଡି ଜିଲ୍ଲା ନୁନପୁର ଗାଁକୁ ବାହାଘର ପାଇଁ ଯାଇଥିବାବେଳେ ରାମଚନ୍ଦ୍ର ଘର ଲୋକେ ସୁବୋଧକୁ ମାଡ଼ ମାରିଥିବା ନେଇ କଳାହାଣ୍ଡି ଜିଲ୍ଲା ରାମପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶନିବାର ରାତିରେ ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଦୁଇ ପରିବାର ମଧ୍ୟରେ ରକ୍ତାତ ସଂଘର୍ଷ ହୋଇଥିଲା । ଉଭୟ ପରିବାର ପକ୍ଷରୁ ୫ ଜଣ ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ତୁଷୁରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.