ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନିଲ ମେହେରଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ସହିତ ବ୍ଳକ ଓ ମ୍ୟୁନସିପାଲିଟିର ସଭାପତିମାନଙ୍କ ନାମ ଶୁକ୍ରବାର ଘୋଷଣା ହୋଇଛି । ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ରୂପେ କଂଗ୍ରେସର ଯୁବନେତା ଗିରିଧାରୀ ସାହୁ ମନୋନୀତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ କଂଗ୍ରେସ କର୍ମୀ ମହଲରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ବ୍ଳକ କଂଗ୍ରେସ କମିଟିର ସଭାପତି ଭଳି ଗୁରୁ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିବାରୁ ଶ୍ରୀ ସାହୁ ଜିଲ୍ଲା ସଭାପତି ଅନିଲ ମେହେର, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ତଥା ବ୍ଲକର ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗରେ ଦଳକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀ ସାହୁ ପୂର୍ବରୁ ବ୍ଲକର ୨୭ନଂ ଜୋନର ସାଧାରଣ ସମ୍ପାଦକ, ବ୍ଲକ କିଷାନ ସେଲ୍ ସଭାପତି ଭଳି ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ଏକ ଦୈନିକ ଖବରକାଗଜର ଜଣେ ଯୁବ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବାରୁ ବ୍ଲକର ସମସ୍ତ ସାମ୍ବାଦିକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବ୍ଲକର ବରିଷ୍ଠ କଂଗ୍ରେସ ନେତା ଯଦୁପତି ଅଗସ୍ତି ଓ ବିଭୀଷଣ ମହାନନ୍ଦଙ୍କୁ ସମ୍ପାଦକ ରୂପେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।