ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା ପଖୱାଡା 2026 ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପିଆଇବି ଏବଂ ସିବିସି (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏନଏବିଏମ-ପ୍ରସାର ଭାରତୀର ଉପମହାନିର୍ଦ୍ଦେଶକ ଶ୍ରୀ ଭି.ଏମ୍ ରତ୍ନ ପ୍ରସାଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା । 2 ଅକ୍ଟୋବର, 2014 ରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ମିଶନ ଆରମ୍ଭ କରାଯାଇଥିଲା । ଏହା ଏକ ସ୍ୱଚ୍ଛ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ପରିମଳ, ସ୍ବଚ୍ଛତା ଏବଂ ଜନସାଧାରଣଙ୍କ ସମ୍ପୃକ୍ତି ଉପରେ ଗୁରୁତ୍ୱାରୋପ କରିଥିଲା । କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ସିବିସି ଭୁବନେଶ୍ୱରର ବରିଷ୍ଠ କଳାକାରମାନେ ସ୍ୱଚ୍ଛତା ବିଷୟବସ୍ତୁ ଉପରେ ଏକ ନାଟକ ପରିବେଷଣ କରିଥିଲେ, ଯାହା ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲା । କାର୍ଯ୍ୟକ୍ରମରେ ସଫାଇ ମିତ୍ର ତ୍ରିବେଣୀ ଦିଗାଲ ଏବଂ ମାନସ ରଞ୍ଜନ ନାୟକଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ସମାପନ ଅବସରରେ ଏକ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା, ଏଥିରେ ସ୍ୱଚ୍ଛ ଭାରତ ମିଶନରେ କର୍ମଚାରୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସମର୍ପଣ ଭାବନା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.