ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲାର ବାଣପୁରରୁ ସାରା ରାଜ୍ୟର ୩୦ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ରଙ୍କ ନାମରେ ଆଦର୍ଶ ବିଦ୍ୟାଳୟର ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିଛନ୍ତି । ସେଥିମଧ୍ୟରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ନୋଳିଆନୂଆଗାଁ ଠାରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ଶିଶୁମାନଙ୍କର ଉଜ୍ୱଳ ଭବିଷ୍ୟତ, ଉତ୍ତମ ଶିକ୍ଷା ଓ ସଶକ୍ତ ଓଡ଼ିଶା ଗଢ଼ିବା ନେଇ ମତପୋଷଣ କରିଥିଲେ । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର,ବ୍ଲକ୍ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା, ବୈଷୟିକ ପରାମର୍ଶଦାତା ଦୀପ୍ତିମୟୀ ନାୟକ, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ, ଛାତ୍ରଛାତ୍ରୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା- ବେଲଗୁଣ୍ଠା, ବୁଗୁଡ଼ା, କବିସୂର୍ଯ୍ୟନଗର, ସାନଖେମୁଣ୍ଡି ଓ ସୋରଡ଼ା ବ୍ଲକର ଗୋଟାଏ ଗୋଟାଏ ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ହାତକୁ ନିଆଯାଇଛି ବୋଲି କୁହାଯାଇଛି । ଆଗାମୀ ୪ ବର୍ଷରେ ରାଜ୍ୟରେ ମୋଟ ୨୨ଶହ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ଥିବାବେଳେ ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
Next Post