ବେଲପଡା, (ଭୋଜରାଜ ଦଣ୍ଡସେନା) : ପାଣି ହେଉଛି ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ପାଣି ବିନା ବଞ୍ଚିବା ଅସମ୍ଭବ । ସେହି ପାଣି ପାଇଁ ଗ୍ରାମର ମହିଳାମାନଙ୍କୁ ଏକ କିଲୋମିଟରରୁ ଅଧିକ ବାଟ ଯିବାକୁ ପଡୁଛି । ଆମେ କହୁଛୁ ବେଲପଡା ବ୍ଲକ ବାଗଦୋର ଗ୍ରାମର (ଟାଙ୍ଗରପଡା) କଥା । ଏହି ପଡାରେ ହାରାହାରି ୩୦ ପରିବାର ବସବାସ କରୁଛନ୍ତି । କିନ୍ତୁ ନଳକୂପ ମାତ୍ର ଗୋଟିଏ । ସେହି ନଳକୂପ ମଧ୍ୟ କେତେବେଳେ ଚାଲୁଛି ତ’ କେତେବେଳେ ଅଚଳ । ସାହା ଭରସା ଗାଁରେ ଥିବା ଗୋଟିଏ କୂଅ । ସେହି କୂଅକୁ ସମସ୍ତେ ନିର୍ଭର କରିଥାନ୍ତି । ସୋଲାର ପମ୍ପର କଥା କହିଲେ ନସରେ । ନାମ ମାତ୍ର ଛିଡ଼ା ହୋଇ ରହିଛି ସୋଲାର ପମ୍ପ । ଏହି ସୋଲାର ପମ୍ପ ଦୀର୍ଘ ବର୍ଷ ହେଲା ଅଚଳ ଅବସ୍ଥାରେ ପଡି ରହିଛି । ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନଙ୍କୁ ଜାଣିଥିଲେ ମଧ୍ୟ କିଛି କାମ ନଦେବାର କହିଛନ୍ତି ଉକ୍ତ ଗ୍ରାମର ମହିଳାମାନେ । ଉକ୍ତ ସୋଲାର ମରାମତି କରିବା ସହ ପାଣିର ସମସ୍ୟା ସମାଧାନ ନ କଲେ ଆଗାମୀ ଦିନରେ ବ୍ଲକ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।