କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି । ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା ଫଳରେ ସ୍ୱାମୀଜୀଙ୍କ ସମେତ ତାଙ୍କର ଚାରିଜଣ ଅନୁଗାମୀଙ୍କ ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସାମ୍ପ୍ରଦୟିକ ହିଂସାରେ ୩୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଓ ଶତାଧିକ ବାସଗୃହ ନିଆଁରେ ପାଉଁଶ ହୋଇଯାଇଥିଲା । କିନ୍ତୁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ଏହି ଲୋମହର୍ଷଣକାରୀ ଘଟଣାରେ ଏ ପର୍ଯ୍ୟନ୍ତ ସ୍ୱାମୀଜୀଙ୍କୁ ନ୍ୟାୟ ମିଳିପାରି ନାହିଁ । ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇପାରି ନାହିଁ । ଆସନ୍ତା ୧୮ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ୨୦୧୫ ମସିହାରୁ ରାଜ୍ୟ ଆଇନ ବିଭାଗରେ ପଡ଼ି ରହିଥିବା ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ ହେବ କି ନାହିଁ, ତାହା ଉପରେ ସାରା ରାଜ୍ୟର ନଜର ରହିଛି । ବିରୋଧୀ ଆସନରେ ବସିଥିବା ବେଳେ ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପାଇଁ ବିଜେପି କ୍ରମାଗତ ଭାବେ ଦାବି କରି ଆସୁଥିଲା । କିନ୍ତୁ କ୍ଷମତାକୁ ଆସିବାର ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଯାଇ ଥିବା ବେଳେ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ରିପୋର୍ଟ ସାର୍ବଜନୀନ ହୋଇପାରିନାହିଁ । କମିସନଙ୍କ ତଦନ୍ତ ରିପୋର୍ଟର ତର୍ଜମା ଚାଲିଛି ବୋଲି କହି ସରକାର ସମୟ ଗଡ଼ାଇ ଚାଲିଥିବା ଆଲୋଚନା ହେଉଛି । ଏହି ରିପୋର୍ଟ ବିଧାନସଭାକୁ କେବେ ଆସିବ ଆଉ ଘଟଣାର ସତ୍ୟତା ଓଡ଼ିଶାବାସୀ ଜାଣିବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଅଗଷ୍ଟ ୧୬ ରେ ସ୍ୱାମୀଜୀଙ୍କ ସ୍ମରଣରେ ଭୁବନେଶ୍ୱରରେ ଆୟୋଜିତ ଗଣଦୌଡ଼ରେ ଅଂଶଗ୍ରହଣ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ, ଆଇନ ବିଭାଗ ପକ୍ଷରୁ ତଦନ୍ତ ରିପୋର୍ଟର ତର୍ଜମା କରାଯାଉଛି । ଉପଯୁକ୍ତ ସମୟରେ ସରକାର କାର୍ଯାନୁଷ୍ଠାନ ଗ୍ରହଣ କରିବେ । ଏପରିକି ସେହି ଦିନ ଗଣଦୌଡ଼ ଆୟୋଜନ କରିଥିବା ସାଧୁସନ୍ଥ ସମାଜ ପକ୍ଷରୁ ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଖୋଜି ବାହାର କରିବା ଲାଗି ସରକାରଙ୍କୁ ଆହ୍ୱପାନ କରିଥିଲେ । ଜନ୍ମାଷ୍ଟମୀ ଦିନ କନ୍ଧମାଳ ଜଳେଶପଟା ଓ ଚକାପାଦ ଆଶ୍ରମରେ ଆୟୋଜିତ ତିରୋଧାନ ଦିବସ କାର୍ଯ୍ୟକ୍ରମରେ ଅନ୍ତେବାସୀ ଏବଂ ଶ୍ରଦ୍ଧାଳୁମାନେ ତଦନ୍ତ ରିପୋର୍ଟ ଅଦ୍ୟାବଧି ସାର୍ବଜନୀନ ହୋଇପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ତର୍ଜମା ନାମରେ ରିପୋର୍ଟ ସାର୍ବଜନୀନ ନ ହେବାକୁ ଅନେକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବିଶେଷକରି ସେ ସମୟରେ ସ୍ୱାମୀଜୀଙ୍କୁ ନ୍ୟାୟ ଦେବା ନିମନ୍ତେ ଆନ୍ଦୋଳନ କରି ବିଜେଡି ସରକାରଙ୍କ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିବା ସମର୍ଥକମାନେ ବିଜେପିର ଡବଲ ଇଞ୍ଜିନ ସରକାର କେବେ ନ୍ୟାୟ ଦେବ ବୋଲି ପ୍ରଶ୍ନ ଉଠାଇଛନ୍ତି ।
