ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମଦାହ ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ା ଅଞ୍ଚଳର ଛାତ୍ରୀ ଆତ୍ମାହୁତି ମାମଲା । ଧରାପଡ଼ିଲା ବ୍ଲାକମେଲର ପୁରୁଷ ବନ୍ଧୁ । ଯୁବତୀଙ୍କ ବୟଫ୍ରେଣ୍ଡ୍‌କୁ ପୁଲିସ ଅଟକ ରଖିଛି । ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ବିଲିକଣା ପଞ୍ଚାୟତ ତେରୋଇ ଗାଁର ପ୍ରମୋଦ ବେହେରା । ତାଙ୍କୁ ଏବେ ଚେନ୍ନାଇରୁ ଓଡ଼ିଶା ଅଣାଯାଉଛି । ଆତ୍ମଦାହ ଘଟଣାର ରହସ୍ୟ ଭେଦିବାକୁ ହଇରାଣିଆ ପ୍ରେମିକକୁ ଅଟକ ରଖି ପୁଲିସ ପଚରାଉଚରା କରିବ । ସେପଟେ କାଠିଆପଡା ଯିବ ଫୋରେନସିକ ଓ ଏଫ୍‌ଏମ୍‌ଟି ଟିମ୍ । ଏସ୍ପିଙ୍କ ଉପସ୍ଥିତିରେ ଏନେଇ ଅଧିକ ତଦନ୍ତ ହେବ । କାଠିଆପଡ଼ା କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାକୁ ସମୟ ଯେତିକି ଗଡ଼ୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆତ୍ମଦାହ ବେଳେ କିରାସିନି ନୁହେଁ ବରଂ ପେଟ୍ରୋଲ ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ଏହି ପେଟ୍ରୋଲ୍ ଏକ ଛୋଟ ପ୍ଲାଷ୍ଟିକ୍ ବୋତଲରେ ଅଣାଯାଇଥିବା ଜଣାପଡ଼ିଛି । ଯାହାକୁ ପୁଲିସ ଜବତ କରିଛି । ତେବେ ପେଟ୍ରୋଲ କେମିତି ଘରକୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏତେ କମ୍‌ ପେଟ୍ରୋଲରେ କେମିତି ଆତ୍ମଦାହ ହେଲା ଓ ପୀଡ଼ିତା ପେଟ୍ରୋଲ କେଉଁଠାରୁ ପାଇଲେ? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ କୌଣସି ପେଟ୍ରୋଲ ପମ୍ପ୍‌ରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ଅବା ଡିଜେଲ ଦେବା ପାଇଁ କଟକଣା ଜାରି ହୋଇଥିବା ବେଳେ ସମ୍ଭବତଃ ବାଇକ୍‌ ଅବା ଅନ୍ୟ କୌଣସି ମୋଟର ଯାନରୁ ପେଟ୍ରୋଲ ସଂଗ୍ରହ କରାଯାଇଥିବା କୁହାଯାଉଛି । ସୂଚନା ଥାଉକି, ବୁଧବାର ପଟ୍ଟାମୁଣ୍ଡାଇ କାଠିଆପଡ଼ା ଅଞ୍ଚଳର ଜଣେ ଛାତ୍ରୀ ପ୍ରେମିକଙ୍କ ନିର୍ଯ୍ୟାତନା ସହି ନପାରି ଘରେ କେହି ନଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଅଭିଯୁକ୍ତ ପ୍ରେମିକ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପ୍ରସାରିତ କରିବା ସହ ବ୍ରେକଅପ୍‌ର ଧମକ ଦେଉଥିଲେ । ଏହା ପରେ ଯୁବତୀ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏଫଆଇଆର ଦାଖଲ କରିବା ପରିବର୍ତ୍ତେ, ଏଏସଆଇ ତାଙ୍କୁ ସମସ୍ତ ସୋସିଆଲ ମିଡିଆ ସାଇଟରୁ ପୁଅକୁ ବ୍ଲକ୍ କରିବାକୁ କହିଥିଲେ । ଏହି ଘଟଣା ଦୀର୍ଘ ୭-୮ମାସ ଧରି ଚାଲିଥିଲା । ପୁଅର ବ୍ଲାକମେଲିଂରେ ହତାଶ ହୋଇ, ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ।

jittmm
Leave A Reply

Your email address will not be published.