
ମାଲକାନଗିରି : ରାସ୍ତା ଶୋଚନୀୟ ଯୋଗୁଁ ମାଲକାନଗିରି ପୌରାଞ୍ଚଳର ଏମଭି-୪୩ ଗ୍ରାମବାସୀଙ୍କର ନିଆରା ପ୍ରତିବାଦ । ପଙ୍କ କାଦୁଅମୟ ରାସ୍ତାରେ ମାଛ ଯାଆଁଳ ଛାଡ଼ିଲେ ଓ ଜାଲ ପକାଇ ମାଛ ଧରିଲେ । ମାଲକାନଗିରି ପୌରାଞ୍ଚଳର ପ୍ରମୁଖ ରାସ୍ତାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସଦରମହକୁମା ରିକଲାମେସନ କଲୋନୀ ତାମିଲ କ୍ୟାମ୍ପଠାରୁ ଏମଭି-୪୩ ଗ୍ରାମ ପାଖାପାଖି ୩ କିମି ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଗାତ ରହିଛି । ବାରମ୍ବାର କହିବା ପରେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଏଭଳି ଭିନ୍ନ ଢଙ୍ଗରେ ଆଜି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଏହି ରାସ୍ତା ଦେଇ ୨୦ରୁ ଅଧିକ ଗ୍ରାମର ଶହ ଶହ ଲୋକ ଓ ଯାନବାହାନ ଯାତାୟାତ କରିଥାଏ । ପ୍ରତିଦିନ ଏହି ରାସ୍ତାରେ ମହାବିଦ୍ୟାଳୟ ଓ ବିଦ୍ୟାଳୟକୁଛାତ୍ରଛାତ୍ରୀମାନେ ଯାତାୟାତ କରୁଥିବାବେଳେ ନାନା ସମସ୍ୟା ଭୋଗୁଛନ୍ତି । ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ । ଯଦି ପ୍ରଶାସନ ତୁରନ୍ତ ରାସ୍ତା ନିର୍ମାଣ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।