
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସନାତନ ସଂସ୍କୃତିର ଇତିହାସକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ, ଜଗତର କଲ୍ୟାଣ ବ୍ରାହ୍ମଣର ଏକମାତ୍ର ଲକ୍ଷ୍ୟ । ଦେଶର ସ୍ଵାଧୀନତା ସଂଗ୍ରାମରେ ବ୍ରାହ୍ମଣ ମାନଙ୍କ ତ୍ୟାଗର ଅନେକ ଦୃଷ୍ଟାନ୍ତ ରହିଛି । ଆଧୁନିକ ଭାରତ ନିର୍ମାଣରେ ବ୍ରାହ୍ମଣଙ୍କ ଯୋଗଦାନ ଉଲ୍ଲେଖନୀୟ । ଭଗବାନ ପର୍ଶୁରାମ ତ୍ୟାଗ ଓ ନ୍ୟାୟର ପ୍ରତୀକ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ବ୍ରାହ୍ମଣ ଜଗତର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପର୍ଶୁରାମ ଜୟନ୍ତୀ ପାଳନ ଅବସରରେ ଅତିଥି ମାନେ ଆହ୍ୱାନ ଦେଇଥିଲେ । ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ବାଲାଜୀ ମନ୍ଦିର ପରିସରରେ ପର୍ଶୁରାମ ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା । ଏହି ଉପଲକ୍ଷେ ମନ୍ଦିରର ଯଜ୍ଞ ମଣ୍ଡପରେ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟ ନିରଞ୍ଜନ ଦାଶ, ଶରତ କୁମାର ମିଶ୍ର ଓ ଆଶିଷ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯଜ୍ଞରେ ରାମଧାରୀ ଦାଶ ଓ ମେଘମାଳା ଦାଶ ଯଜ୍ଞର କର୍ତ୍ତାକାର୍ଯ୍ୟ ସମ୍ପାଦନ କରିଥିଲେ । ସକାଳ ଆଠଟାରେ ପର୍ଶୁରାମ ସେନାର ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାଲାଜୀ ମନ୍ଦିରରୁ ବାହାରି ସହର ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ଭବାନୀପାଟଣା ନଗର କମିଟି ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଓ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଅତିଥି ଭାବରେ ଯୋଗଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ଡ଼ ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ପର୍ଶୁରାମଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ ବେଦମନ୍ତ୍ର ପାଠ କରିଥିଲେ । ପ୍ରାରମ୍ଭିକରେ ପହେଲଗାମ୍ ଆତଙ୍କ ବାଦୀଙ୍କ ବର୍ବରୋଚିତ ନର ସଂହାରରେ ପ୍ରାଣ ହରାଇଥିବା ୨୭ ଜଣ ହିନ୍ଦୁଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସାଧାରଣ ସମ୍ପାଦକ ଭବେନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ଅବସରରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷିଙ୍କୁ “ପର୍ଶୁରାମ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ବ୍ରାହ୍ମଣ ସମାଜର ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ କୃଷ୍ଣ ମୋହନ ଯୋଷୀ, ଜିଲ୍ଲା ଉପସଭାତି ବିନୋଦ ଶର୍ମା, ନଗର ସମ୍ପାଦକ ଶେଷଦେବ ମିଶ୍ର, ବରିଷ୍ଠ ସଦସ୍ୟ ଚକ୍ରଧର ଦାଶ, ପ୍ରଭାତ ବ୍ରହ୍ମା, ଭୋଲାନଥ ମିଶ୍ର, ଦୀପଜ୍ୟୋତି ମୁଣ୍ଡ, ସେବନନ୍ଦ ପାଢୀ, ସନ୍ତୋଷ ଦାଶ, ସୁଚିତ ମୁଣ୍ଡ , ଅଭିଳାଷ ଦାଶ, ଶେଷଦେବ ପଣ୍ଡା ପ୍ରମୁଖ ପର୍ଶୁରାମ ଜୟନ୍ତୀ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ ।