oom

ଓଡିଆ ଫିଲ୍ମ ‘ଆତ୍ମନ’ର ଶୁଭମୁକ୍ତି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ସ୍ନେହା ଆର୍ଟ କ୍ରିଏସନ୍ସ’ ନିବେଦିତ ଓଡିଆ ଫିଲ୍ମ ‘ଆତ୍ମନ- ଦି ୱଣ୍ଡର୍‌ ବୟ’ର ଶୁଭମୁକ୍ତି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରେ ମୁଖ୍ୟ ଅତିଥି ଭାବରେ ଚଳଚ୍ଚିତ୍ର ପ୍ରଯୋଜକ ତଥା ସମାଜସେବୀ ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ ତଥା ଶିକ୍ଷାବିତ୍‌ ମନୋଜ ମିଶ୍ରଙ୍କ ସହିତ ଫିଲ୍ମର ପ୍ରଯୋଜକ ଗୋବର୍ଦ୍ଧନ ଭୋଇ ଏବଂ ନିଦ୍ଦେର୍ଶକ ହିମାଂଶୁ ଖମାରୀ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଚଳଚ୍ଚିତ୍ରର ଲୋକାର୍ପଣ କରି ଆତ୍ମନ ଫିଲ୍ମ ନିର୍ମାଣ ଉଦ୍ୟମକୁ ସ୍ୱାଗତ କରିଥିଲେ । ଭବିଷ୍ୟତରେ ଏଡି ଉଦ୍ୟମ ଜାରି ରହୁ ବୋଲି ବକ୍ତାମାନେ ଆଶା ପ୍ରକାଶ କରିଥିଲେ । ଏହା ପରେ ପ୍ରଦର୍ଶିତ ହୋଇଥିଲା ଚଳଚ୍ଚିତ୍ର ‘ଆତ୍ମନ- ଦି ୱଣ୍ଡର୍‌ ବୟ’ । ଗୋବର୍ଦ୍ଧନ ଭୋଇଙ୍କ କାହାଣୀ, ସଂଳାପ ଏବଂ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମ ମେକର୍‌ ହିମାଂଶୁ ଖମାରୀ । ଏହାର କାହାଣୀ ଜଣେ ବ୍ୟାଙ୍କ୍‌ ମ୍ୟାନେଜର୍‌ ଅବିନାଶ ବାବୁଙ୍କ ପୁଅ (ଆତ୍ମନ)ର କିଡ୍‌ନାପ୍‌ ସହିତ ଗତିଶୀଳ ହୋଇଛି ଏକ ତାନ୍ତ୍ରିକ (ଚଣ୍ଡିଦାସ)ର ତନ୍ତ୍ରପୀଠକୁ ଶିଶୁବଳୀ ଉଦ୍ଦେଶ୍ୟରେ । ତା’ର ଅସହାୟ ବାପା(ଅବିନାଶ ବାବୁ) ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇ ସାହାଯ୍ୟ ପାଇ ନ ପାରି ହତାଶ ହୋଇଯାଇଥିବା ବେଳେ ସହଯୋଗର ହାତ ବଢେଇଛନ୍ତି ଆତ୍ମନ ପାଠ ପଢୁଥିବା ସ୍କୁଲର ଚେୟାରମେନ(ବାସ୍ତବ ରାୟ) । ଆତ୍ମନ ତାନ୍ତ୍ରିକ ଏବଂ ତା’ର ସହଯୋଗୀମାନଙ୍କ ହାବୁଡରୁ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କୌଶଳ କ୍ରମେ ଖସି ଆସୁଥିବା ବେଳେ ପରିଶେଷରେ ତାକୁ ମରଣ ମୁଖରୁ ଉଦ୍ଧାର କରି ଆଣିଛନ୍ତି ବାସ୍ତବ ରାୟ । ଅନ୍ଧ ବିଶ୍ୱାସର ବଶବର୍ତ୍ତି ହୋଇ ଶିଶୁବଳୀ ପ୍ରଥାକୁ ଏଠି ବିରୋଧ କରାଯାଇଥିବା ବେଳେ ଏକ ସୁସ୍ଥ ସୁନିୟନ୍ତ୍ରିତ ସମାଜ ଗଠନ ପାଇଁ ସନ୍ଦେଶ ଦେଇଛି ଫିଲ୍ମ ‘ଆତ୍ମନ’ । ଚଳଚ୍ଚିତ୍ରଟିର ବିଭିନ୍ନ ଭୁମିକାରେ ଗୋବର୍ଦ୍ଧନ ଭୋଇ, ହିମାଂଶୁ ଖମାରୀ, ନବାଗତ ଆତ୍ମନ ରାଜ, ରବିନ୍ଦ୍ର ସାହୁ, ଡାକ୍ତର ସବିତା ପଟେଲ, ଶତାବ୍ଦୀ ମହାପାତ୍ର, ଅଶୋକ ମିଶ୍ର, କେ.ଏମ୍‌. ମହାନ୍ତି, ମୂରଲୀଧାରୀ ପତି, କପିଳେଶ୍ୱର ଖମାରୀ, ଅନୁପ୍ରିୟା ମିଶ୍ର, ବିଶ୍ୱମୟ ପୂଜାରୀ, ନୀଳକଣ୍ଠ ମେହେର, ଦିବ୍ୟ ମିଶ୍ର, ପବିତ୍ର ଭାଟି, ବିଜୟ ବେହେରା, ସରୋଜ ମିଶ୍ର, ଜ୍ୟୋତି ନାଗ, ଅର୍ଜୁନ ସାହୁ, ଯଶୋବନ୍ତ ସିଂ ପ୍ରମୁଖ ମନଛୁଅାଁ ଅଭିନୟ କରିଛନ୍ତି । ଡି.ଓ.ପି ଗଗନ ବି. ମିଶ୍ର, ସୁମନଜିତ୍‌ ଖମାରୀ ଥିବା ବେଳେ ସଙ୍ଗୀତ ଦେଇଛନ୍ତି ମୂରଲୀଧାରୀ ପତି । ୮୦ ମିନିଟ୍‌ ଅବଧିର ଏହି ଫିଲ୍ମଟିର ସମସ୍ତ ପୋଷ୍ଟ ପ୍ରଡକ୍ସନ କୀର୍ତି ଭିଡିଓ ଭିଜନ୍‌ରେ କରାଯାଇଛି । ଆଗକୁ ଏହି ଚଳଚ୍ଚିତ୍ର ଦେଶ ବିଦେଶର ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ୍‌ରେ ଅଂଶ ଗ୍ରହଣ କରିବାର ଯୋଜନା ରହିଛି ବୋଲି ପ୍ରଯୋଜକ ଗୋବର୍ଦ୍ଧନ ଭୋଇଙ୍କ ଠାରୁ ପ୍ରକାଶ । ଦର୍ଶକମାନେ ଚଳଚ୍ଚିତ୍ରର ଉକ୍ରଣ୍ଠାପୂର୍ଣ୍ଣ କାହାଣୀକୁ ଦେଖି ବେଶ ଉତ୍ସାହିତ ଥିବାରୁ ଚଳଚ୍ଚିତ୍ରଟିର ଉଜ୍ଜ୍ୱଳ ଭବିଷ୍ୟତ ଆଶା କରାଯାଇପାରେ ।

jittmm
Leave A Reply

Your email address will not be published.