ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାପ, ପୁଅ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସୱେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ମୃତକମାନେ କୋମନା ଥାନା ମିଛାପାଲି ଗାଁର କମଳ ପାଟକିନାରା (୩୫) ଓ ତାଙ୍କ ପୁଅ ଦୀପକ୍ ପାଟକିନାରା (୫) ବୋଲି ଜଣାପଡିଛି । ଖବର ପାଇ ଲଖନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାପା ଓ ପୁଅଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ଗୁରୁବାର ମଧ୍ୟାହ୍ନରେ ମିଛାପାଲି ଗାଁର ଓଏପିଏଫ୍‌ ଯବାନ କମଳଙ୍କ ପୁଅ ଦୀପକଙ୍କୁ ଝାଡାବାନ୍ତି ହେଉଥିଲା । ପୁଅର ଚିକିତ୍ସା ପାଇଁ ବାପା କମଳ ତାଙ୍କୁ ନିଜ ବାଇକରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବା ବେଳେ ବିଜୁ ଏକ୍ସପ୍ରେସ ରାସ୍ତାର କୁସଦହନା ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ତେବେ ଲଖନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାପା ଓ ପୁଅଙ୍କ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ଦୁର୍ଘଟଣାକାରୀ ଟ୍ରକ ଓ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି ।

Leave A Reply

Your email address will not be published.