ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

  • ଏପ୍ରିଲ ୦୧ରୁ ୦୭ ପର୍ଯ୍ୟନ୍ତ ପାଳନ ହେବ ଶୂନ ଦୁର୍ଘଟଣାଜନିତ ମୃତାହତ ସପ୍ତାହ
  • ଏନ୍ଫୋର୍ସମେଣ୍ଟକୁ ଅଧିକ ଜୋର୍‌ଦାର୍‌ ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଧିକ୍ଷଣ ଯନ୍ତ୍ରୀ ପିଡବ୍ଲୁଡି ଇଂ. ଦାମୋଦର କୈବର୍ତ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ବିଶ୍ୱ ରଞ୍ଜନ ପତି, ସୋନପୁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବସ ମାଲିକ ସଙ୍ଘରୁ ପୁରୁଷୋତ୍ତମ ପାଣିଗ୍ରାହୀ, ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ଜାତୀୟ ରାଜପଥର ବରିଷ୍ଠ ଅଧିକାରୀ, ଜୁନିଅର ଏମଭିଆଇ, ମ୍ୟୁନିସିପାଲିଟି ସୋନପୁରର ନିର୍ବାହୀ ଯନ୍ତ୍ରୀ, ବିଭାଗୀୟ ଅଧିକାରୀ, ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ପରିଚାଳନା ତଥା ଅନୁଷ୍ଠିତ ହେବାକୁ ଥିବା ଶୂନ ମୃତାହତ ସପ୍ତାହ ପାଳନ ଉପରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଏପ୍ରିଲ ୦୧ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସ୍ତରରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ଶୂନ କରିବା ନିମନ୍ତେ ବିଶେଷ ସପ୍ତାହ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରରେ ଏହି ସପ୍ତାହକୁ ବ୍ୟବସ୍ଥିତ ଭାବେ ପାଳନ କରିବା ଉପରେ ସଡ଼କ ସୁରକ୍ଷା ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷ ଭାବେ ଜିଲ୍ଲା ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥରେ ଥିବା ବୁଲାଣୀ ଓ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ବିଶେଷ ସୂଚନା ଫଳକ ସହ ଆଲୋକିକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଯାନ ବାହାନ ଗୁଡିକ ମୋଟର ଯାନ ଆଇନ ମୁତାବକ ବ୍ୟବସ୍ଥିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହିତ ନାବାଳକ ଛାତ୍ରଛାତ୍ରୀଙ୍କ ଗାଡି ଚାଳନା ଉପରେ ଆବଶ୍ୟକ ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା କରାଯାଇ ଏହାକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଗାଡି ଚାଳନାକୁ ଅଭିଭାବକ ସହ ସ୍କୁଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏଥି ନିମନ୍ତେ ସ୍କୁଲ ଓ ମହାବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଚେତନତା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସହରାଞ୍ଚଳ ଗୁଡିକରେ ହୋର୍ଡିଙ୍ଗ ପୋଷ୍ଟ, ବୁଲା ଗାଈଗୋରୁ, କୁକୁର ପ୍ରଭୃତି ସହ ଯାନ ବାହନ ପାର୍କିଙ୍ଗ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ସୂଚୀତ କରିବା ଉପରେ ପଦକ୍ଷେପ ନେବା ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ସୂଚନା ଫଳକ ଓ ସ୍ପିଡ଼ ବ୍ରେକର ଲଗାଇବା ସହ ବିଭିନ୍ନ ଛକ ତଥା ବ୍ୟସ୍ତ ବହୁଳ ରାସ୍ତାରେ ଆଲୋକିକରଣକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ଅଧ୍ୟକ୍ଷ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି । ଏତଦ ବ୍ୟତୀତ ସପ୍ତାହ ପାଳନ ପୂର୍ବରୁ ଜିଲ୍ଲାର ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣାଜନିତ ମୃତ୍ୟୁକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ତଥା ପୋଲିସ ପ୍ରଶାସନ ସହ ମିଳିତ ଭାବେ ଜୋର୍‌ଦାର୍‌ ଚଢ଼ାଉ ଉପରେ ଗୁରୁତ୍ଵାରୋପ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ।

Leave A Reply

Your email address will not be published.