- ଅହିଂସାକୁ ବୟାନରେ ସୀମିତ ନ ରଖି ଏହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେଉ ସରକାର- ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତିର ଜନକ ମହାତ୍ମା ଗାନ୍ଧୀ ଅହିଂସାକୁ ଅସ୍ତ୍ର କରି ଦେଶ ପାଇଁ ସ୍ୱାଧିନତା ଆଣିଥିଲେ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ଜୋଡିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ସହ ରାଜ୍ୟ ସରକାର ଅହିଂସା ରଥକୁ ସମଗ୍ର ରାଜ୍ୟରେ ପରିକ୍ରମା କରି ଏହି ଉତ୍ସବକୁ ଆହୁରି ବ୍ୟାପକ କରୁଛନ୍ତି । ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଏବଂ ତା’ ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଏହା ମତେ ଜାଣିବା ଦରକାର ଯେ ଅହିଂସା କେବଳ ଏକ ଶବ୍ଦ ନୁହେଁ । ସରକାର ଏହାକୁ କେବଳ ବୟାନବାଜିରେ ସିମିତ ନରଖି, ଏହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦିଅନ୍ତୁ । କାରଣ ରାଜ୍ୟ ସରକାର ଅନେକ ସମୟରେ ଦେଖା ଦେଇଛି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ହିଂସାର ଆଶ୍ରୟ ନେଇଥାନ୍ତି । ତେଣୁ ଅହିଂସା ରଥ ତତ୍ପର୍ଯ୍ୟତାକୁ ସରକାର ନିଜ କାର୍ଯ୍ୟରେ ମଧ୍ୟ ପ୍ରତିଫଳନ କରନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ସ୍ଥାନୀୟ ପି.ପି.ଏକାଡେମୀ ସମ୍ମିଳନୀ କକ୍ଷରେ ଅହିଂସା ରଥର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକେ ନିଜର କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଜାତୀୟ ପତାକା ଉତ୍ତୋଳନ କରିନଥିଲେ ତ୍ରିରଙ୍ଗାକୁ ଜାତୀୟ ପତାକା ମାନ୍ୟତା ଦେବା ଉପରେ ପ୍ରଶ୍ନ କରିଥିଲେ, ଡେରିରେ ହେଲେ ମଧ୍ୟ ସେମାନେ ତ୍ରିରଙ୍ଗାର ମହତ୍ୱ କେତେ ତାହା ବୁଝିବାକୁ ବାଧ୍ୟ ହୋଇଛନ୍ତି । ଆଜି ସେମାନେ ବାଧ୍ୟ ହୋଇ ଗାନ୍ଧିଜୀ ଏବଂ ଜାତୀୟ ପତାକାକୁ ସମ୍ମାନ ଦେଉଛନ୍ତି ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ଅହିଂସା ରଥ ସ୍ୱାଗତ କରିବା ପାଇଁ ସହରର ଅନେକ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଛାତ୍ର, ଶିକ୍ଷକ, ଗାନ୍ଧୀବାଦୀ ତଥା ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଅଧିକାରୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୫ ଜଣ ବୁଣାକାରଙ୍କୁ ଅରଟ ପ୍ରଦାନ କରାଯାଇଥିଲା ।