ଭୁବନେଶ୍ୱର : ସ୍ୱାଧୀନତା ଦିବସକୁ ନେଇ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଉତ୍ସବରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ପିଲାମାନେ ସାମିଲ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତାହାସହ ସେ କହିଛନ୍ତି କି, ସ୍ୱାଧୀନତା ଦିବସ ଉତ୍ସବରେ ପିଲାମାନଙ୍କ ଉପସ୍ଥିତ ରହିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଥାଉ କି ଗତକାଲି ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହୋଇପାରିବେ ନାହିଁ ବୋଲି କୁହାଯାଇଥିଲା । ଚଳିତ ବର୍ଷ ବିନା ଛାତ୍ରଛାତ୍ରୀରେ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜେ ସୂଚନା ଦେଇଥିଲେ । ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍କୁଲରେ କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ହେବ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।