ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଭୁଶୁଡି ପଡିଥିବା ଜଣାପଡିଛି । ଘର ଭାଙ୍ଗି ଭୁଶୁଡି ପଡିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ବର୍ତ୍ତମାନ ପରିବାର ନିରାଶ୍ରୟ ହୋଇପଡିଛନ୍ତି । ଏନେଇ ବୃଦ୍ଧା ଜଣକ ସ୍ଥାନୀୟ ଭରୁଆମୁଣ୍ଡା ରାଜସ୍ୱ ନିରୀକ୍ଷକ ବିଶାଳ କୁମାର ପାତ୍ରଙ୍କୁ ଲିଖିତ ଭାବେ ଜଣାଇଥିଲେ । ସୂଚନା ପାଇ ରାଜସ୍ୱ ନିରୀକ୍ଷକ ଶ୍ରୀ ସାହୁ ଲଗାଣ ବର୍ଷାରେ ଭିଜିଭିଜି ସମ୍ପୃକ୍ତ ପରିବାର ପାଖରେ ପହଞ୍ଚି ଏକ ପଲିଥିନ ପ୍ରଦାନ କରିବା ସହ ପରିବାରର ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ସାବିତ୍ରୀ ବାଗଙ୍କ ପରିବାର ଏକ ଗରିବ ପରିବାର ହୋଇଥିବା ବେଳେ ପରିବାରରେ ପାଞ୍ଚ ଜଣ ସଦସ୍ୟ ଅଛନ୍ତି । ପୁଅ ମନୋଜ ବାଗ ଓ ବୋହୁ ସିନ୍ଧୁମତୀ ପରିବାର ପ୍ରତିପୋଷଣ ପାଇଁ ଦାଦନ ଯାଇଥିବା ବେଳେ ଘରେ ବୃଦ୍ଧା ମାଆ ସବିତ୍ରୀଙ୍କ ସହ ଦୁଇ ପୁଅଝିଅ ରହନ୍ତି । ପୁଅ ବୋହୂ ରୋଜଗାର କରି ଯାହା ପଠାନ୍ତି ସେଥିରେ ପରିବାର ଚଳନ୍ତି । ବୃଦ୍ଧା ସବିତ୍ରୀଙ୍କୁ ମାସିକ ଭତ୍ତା ପାଞ୍ଚଶହ ମିଳୁଥିବା ବେଳେ ରାସନ କାର୍ଡର ଚାଉଳ ପଚିଶ କିଗ୍ରାରେ ଚଳନ୍ତି । ଜମିବାଡ଼ି ନାମକୁ ମାତ୍ର ଥିବା ବେଳେ ଭଲ ଘର ଖଣ୍ଡିକ ଭାଗ୍ୟରେ ଜୁଟି ପାରିନାହିଁ । ଭଙ୍ଗା ଦଦରା ଖପର ଘରେ ବିପଦ ସଂକୁଳ ଅବସ୍ଥାରେ ରହି ଆସୁଛନ୍ତି । କେଉଁ ମୁହୂର୍ତ୍ତରେ ଘର ଭୁଶୁଡି ଅକାଳେ ଧନଜୀବନ ନଷ୍ଟ ହେବ, ତାହା କହିହେବ ନାହିଁ । ଏଭଳି ସ୍ଥିତିରେ ଆଜି ଲଗାଣ ବର୍ଷାରେ ଘର ଭୁଶୁଡି ଭାଙ୍ଗି ପଡିଛି । ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବର୍ତ୍ତମାନ ପରିବାର ନିରାଶ୍ରୟ ହୋଇ ପଡ଼ିଥିବା ବେଳେ ଘର ଖଣ୍ଡିକ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ସେ ଅବଗତ କରାଇଥିଲେ । ଖବର ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ କରି ପରିବାରର ସବିଶେଷ ବିବରଣୀ ସିନାପାଲି ତହସିଲଦାରଙ୍କୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଭରୁଆମୁଣ୍ଡା ରାଜସ୍ୱ ନିରୀକ୍ଷକଙ୍କ ତ୍ୱରିତ ପଦକ୍ଷେପ ପାଇଁ ସମ୍ପୃକ୍ତ ପରିବାର ପକ୍ଷରୁ ଧନ୍ୟବାଦ ଜଣାଇବା ସହ ରାଜସ୍ୱ ନିରୀକ୍ଷକଙ୍କ ସକ୍ରିୟ କାର୍ଯ୍ୟ ଦକ୍ଷତାକୁ ନେଇ ବିଭିନ୍ନ ମହଳରେ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଛନ୍ତି । ସମ୍ପୃକ୍ତ ପରିବାରକୁ ଯଥାଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

fourteen − eight =

error: Content is protected !!