jayashree

ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ବୌଦ୍ଧ, (ମମତା ମହାକୁର) : କରୋନାରେ ମୃତ ବୌଦ୍ଧ ଜିଲ୍ଲାର ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି । ଗତ ତା୧୦.୦୫.୨୦୨୧ରିଖରେ କରୋନାରେ ପିଡିତ ସ୍ୱର୍ଗତ ବସ୍ତିଆଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ରାସ୍ତାରେ ଆମ୍ବୁଲାନସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ତୁରନ୍ତ ସରକାର କୋଭିଡ ଯୋଦ୍ଧା ଭାବରେ ଘୋଷଣା ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲାର ସାମ୍ବାଦିକମାନେ ଦାବୀ କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏ ନେଇ ବାରମ୍ବାର ସରକାରଙ୍କୁ ପତ୍ର ଜରିଆରେ ଅବଗତ କରି ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ବର୍ତ୍ତମାନ ବୌଦ୍ଧର ବିଧାୟକ ନିଜେ ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏ ସଂପର୍କରେ ତାଙ୍କୁ ମଧ୍ୟ ନିବେଦନ କରାଯାଇଥିଲା । ଶେଷରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଓ ମନ୍ତ୍ରୀ ଶ୍ରୀ ଅମାତଙ୍କ ଉଦ୍ୟମକ୍ରମେ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଗତ ୧୧ ତାରିଖ ଦିନ ସରକାର ୪ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେଇଥିବା ଜଣାଯାଇଛି । ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ନେଇ ସ୍ୱର୍ଗତ ବସ୍ତିଆଙ୍କ ପତ୍ନୀ ସିପ୍ରାଞ୍ଜଳି ଖମାରୀ ଓ ତାଙ୍କ ଭାଇ ତଥା ସୁବର୍ଣ୍ଣପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ସୌରଭରଞ୍ଜନ ଖମାରୀ ସୂଚନା ପ୍ରଦାନ କରିବା ସହିତ ସରକାରୀ ସହାୟତା ଯୋଗାଇ ଦେଇଥିବାରୁ ମନ୍ତ୍ରୀ ଶ୍ରୀ ଅମାତ ଓ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.