csstore

ପୁଲିସକୁ ଚକମା ଦେଇ ଲଗାତାର ଚାଲିଛି ଚୋରି, ଡକାୟତି : ପୁଲିସ ପ୍ରତି ତୁଟୁଛି ଆସ୍ଥା, ଗାଁ ଗାଁରେ ବଢ଼ୁଛି ଅସନ୍ତୋଷ

ଦେଓଗାଁ(ମନୀଷ କୁମାର ସାହୁ): ଦେଓଗାଁ ଥାନା ଅଞ୍ଚଳରେ କିଛି ଦିନ ହେଲା ମାତିଛନ୍ତି ଲୁଟେରା ଦଳ । ଚାଲିଛି ଚୋର ପୁଲିସର ଲୁଚକାଳି ଖେଳ। କେତେବେଳେ ପୁଲିସ ଚୋରକୁ ଧରି ଫରୱର୍ଡ କରୁଛି ତ ପୁଣି କେତେବେଳେ ପୁଲିସକୁ କଳା କନା ଦେଖାଇ ଥାନାରୁ ମାତ୍ର ୩୦ ଫୁଟ ଦୂରରେ ଥିବା ଦୋକାନରୁ ଚୋରି କରି ଲୁଚି ରହୁଛି ଚୋର । ହେଲେ ପୁଲିସ ଅନ୍ଧାରରେ ବାଡ଼ି ବୁଲାଇ ତଦନ୍ତ କରୁଥିବାରୁ ଦିନକୁ ଦିନ ଡକାୟତି ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଗତ ସୋମବାର ରାତିରେ ଦେଓଗାଁ ସଗାରପାଲି କ୍ରସର ଠାରୁ ଟଙ୍କା ନେଇ ଯାଉଥିବା ରୂପେଶ ଅଗ୍ରୱାଲଙ୍କ ଠାରୁ ଲୁଟେରାମାନେ ୨୫ ହଜାର ଟଙ୍କା ଲୁଟି ନେଇଥିବା ଦେଓଗାଁ ଥାନାରେ ଅଭିଯୋଗ ହେଇଛି।
ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ଗୋଟିଏ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନରୁ ୩ଟି ଦୋକାନରୁ ଚୋରୀ ହୋଇଥିଲା । ଦେଓଗାଁ ବସ୍‌ଷ୍ଟାଣ୍ଡରେ ଥିବା ଖେଡ଼ୁ ପାନ ଦୋକାନ ଥାନାରୁ ମାତ୍ର ୫୦ ଫୁଟ ଦୂରତାରେ ଅବସ୍ଥିତ । ସାଗରପାଲି ଛକ ଓ କୁଠୁର୍ଲାରେ ମଧ୍ୟ ଏଭଳି ଭାବେ ତାଲା କାଟି ଦୋକାନରୁ ସାମଗ୍ରୀ ସହ ନଗଦ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଟା ପାର ଦିନ ରାତିରେ ଦେଓଗାଁ ଥାନା ତଥା ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହାର ଏକ ମେକାନିକାଲ ଦୋକାନରୁ ଚୋରି ହୋଇଥିଲା । ଏହି ଗାଁର ଦିବାକର ପଟେଲ କୁଡ଼ାସିଂହା ବସଷ୍ଟାଣ୍ଡରେ ଏକ ମେକାନିକାଲ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଡକାୟତି ଦଳ ତାଲା କାଟି ଟାୟାର, ଟିୟୁବ୍, ଇଞ୍ଜିନ ଓଏଲ, କୁଲର ମଟର, ଏବଂ ୧୩ ଶହ ଟଙ୍କା ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ମାସରେ ଦେଓଗାଁ-ତୁଷୁରା ରାସ୍ତାରେ ତୁଷୁରା ଜନୈକ ବ୍ୟବସାୟୀଙ୍କ ଠାରୁ ୨ଲକ୍ଷ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଘଟଣାକୁ ମାସେ ବିତି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି । ସେହିପରି ଏହି ଥାନାର ଦେଷଣ୍ଢ ଗାଁର ଫେନ୍ସି ଷ୍ଟୋର ଓ କୁଡ଼ାସିଂହା ଗାଁର ଦୋକାନଗୁଡ଼ିକରୁ ଚୋରୀ ହୋଇଥିବାର ଘଟଣା ମଧ୍ୟ ଲୁକ୍କାୟିତ ଭାବେ ପୁଲିସ ରଖି ତଦନ୍ତରେ ଅବହେଳା କରିଥିବାରୁ ଅଞ୍ଚଳରେ ଚୋରୀ, ଡ଼କାୟତି ବଢ଼ିବାରେ ଲାଗିଛି। ଦେଓଗାଁ ସଦର ଅଞ୍ଚଳର କିଛି ଯୁବକ ବନ୍ଧପଡ଼ା ଅଞ୍ଚଳରେ ଡ଼େରା ପକାଇ କେଉଁ ବ୍ୟବସାୟୀ କିଭଳି ଟଙ୍କା କାରବାର କରୁଛି, ତା ଉପରେ ନଜର ରଖି ଡ଼କାୟତ ଦଳକୁ ଖବର ଦେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯଦି ଥାନାରୁ ମାତ୍ର ୫୦ ଫୁଟ ଦୂରତାରେ ଥିବା ଦୋକାନ ସୁରକ୍ଷିତ ନୁହେଁ, ତାହେଲେ ଜଙ୍ଗଲ ଘେରା ଗାଁଗୁଡ଼ିକରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ କେତେ ସୁରକ୍ଷିତ ରହିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ପୁଲିସ ରାତିରେ ପେଟ୍ରୋଲିଂ କରିବାରେ ଢ଼ିଲା ହେଉଥିବାରୁ ଦେଓଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି, ଡ଼କାୟତି ବୃଦ୍ଧି ପାଇବାରେ ଲାଗିଛି। ଡ଼କାୟତ ଦଳକୁ ଠାବ କରିବା ସହ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବୀ ହେଉଛି।

jayashree
Leave A Reply

Your email address will not be published.